ସରିଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା

ଆସିକା (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଓ ପୌର ପରିଷଦ ଅଧୀନସ୍ଥ ୪ଟି କଲେଜରେ ଯୁକ୍ତ ତିନି ପ୍ରଥମ ବର୍ଷ ପାଠ୍ୟକ୍ରମରେ ପାଠ ପଢିବା ପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା କାର୍ଯ୍ୟକ୍ରମ ଶେଷ ହୋଇଯାଇଛି । ଆସିକାର ୪ଟି କଲେଜରେ ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟରେ ୫୨୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା ପାଠ୍ୟକ୍ରମରେ ୯୨ ଜଣ, ବାଣିଜ୍ୟ ପାଠ୍ୟକ୍ରମରେ ୨୯ ଜଣ, ବିଜ୍ଞାନ ପାଠ୍ୟକ୍ରମରେ ୪୮ ଜଣ ଏବଂ ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ କଳା ପାଠ୍ୟକ୍ରମରେ ୨୬୨ ଜଣ, କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳା ପାଠ୍ୟକ୍ରମରେ ୫୫ ଜଣ ଏବଂ ବିଜ୍ଞାନ ପାଠ୍ୟକ୍ରମରେ ୧୯ ଜଣ, ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ (ଶାସ୍ତ୍ରୀ) ପାଠ୍ୟକ୍ରମରେ ୨୪ ଜଣ ଏହିଭଳି ସମୂଦାୟ ୫୨୯ ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଜଣାପଡିଛି । ଆସନ୍ତା ଜୁଲାଇ ମାସ ୨ ତାରିଖରେ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ୩ ତାରିଖରୁ ନାମଲେଖା ଆରମ୍ଭ ହେବ ବୋଲି ଜଣାପଡିଛି । ଗତ ୨୨ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଥିଲା ବେଳେ ୨୩ ତାରିଖ ପୂର୍ବାହ୍ନ ୧୦ ଘଣ୍ଟିକାରୁ ୨୫ ତାରିଖ ଅପରାହ୍ନ ୫ ଘଣ୍ଟିକା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଜାରି ରହିଥିଲା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ କଟ୍‍ଅଫ୍‍ ମାର୍କ ଅନୁଯାୟୀ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଇଣ୍ଟିମେସନ୍‍ ବି ଗତ ୨୨ ତାରିଖରେ ପଠାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶିତ ହେବା ପରେ ଆସିକା ଅଞ୍ଚଳରେ ୪ କଲେଜରେ ଆହୁରି ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବାର ସମ୍ଭାବନା ରହିଛି । ଦ୍ୱିତୀୟ ତଥା ଶେଷ ମେଧା ତାଲିକାରେ ନାମ ଲେଖାଇବା ପାଇଁ ଚୟନିତ ଛାତ୍ରଛାତ୍ରୀଙ୍କ ନାମ ଆସନ୍ତା ୨ ତାରିଖ ଦିନ ପ୍ରକାଶ ପାଇବାର କାର୍ଯ୍ୟକ୍ରମ ଥିବା ବେଳେ ୬ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାମ୍‍ସ ପୋର୍ଟାଲରେ ଅନ୍‍ଲାଇନ୍‍ ଆଡ୍‍ମିଶନ୍‍ ଫି ଦାଖଲ କରିହେବ ବୋଲି ଜଣାପଡିଛି । ଦ୍ୱିତୀୟ ମେଧା ତାଲିକାରେ ନାମ ଲେଖାଇବା ପାଇଁ ଚୟନିତ ହେବାକୁ ଥିବା ବିଦ୍ୟାର୍ଥୀମାନେ ଇଣ୍ଟିମେସନ୍‍ ସଂଗ୍ରହ କରି ଛୁଟି ଦିନକୁ ବାଦ୍‍ ଦେଇ ଆସନ୍ତା ଜୁଲାଇ ୩ ତାରିଖ ପୂର୍ବାହ୍ନ ୧୦ଘଣ୍ଟିକା ଠାରୁ ୬ତାରିଖ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଆଡ୍‍ମିଶନ୍‍ କରିପାରିବେ ବୋଲି ସ୍ଥିରୀକୃତ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ