ଘୋଡାହାଡ଼ ଡ଼୍ୟାମ ଇକୋ ଟୁରିଜିମ ପ୍ରକଳ୍ପର ବିକାଶ କରାଯିବ : ଜିଲ୍ଲାପାଳ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ନିକଟ ଘୋଡାହାଡ଼ ଡ଼୍ୟାମ ପାର୍ଶ୍ଵ ରେ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ପାର୍କ ଏବଂ ବନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ଇକୋ ଟୁରିଜିମ ପ୍ରକଳ୍ପକୁ ବୁଲି ଦେଖିବା ସହ କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ।ପ୍ରକଳ୍ପର ଅଧିକା ବିକାଶ କରାଯିବ।ତେଣୁ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ଓ ସମୟୋଚିତ କାର୍ଯ୍ୟାନ୍ଵୟନ ସମ୍ପର୍କରେ ଯତ୍ନବାନ ହେବାକୁ ସେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବ୍ରହ୍ମପୁର ବନଖଣ୍ଡ ଅଧିନରେ ଏହା ପ୍ରଥମ ଇକୋ ଟୁରିଜିମ ପ୍ରକଳ୍ପ ହୋଇଥିବା ବେଳେ ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗବେଷଣାରେ ସହାୟକ ହେବ ବୋଲି ସେ କହିଥିଲେ। ସେହିପରି ଏହି ଜଳ ଭଣ୍ଡାର କୁମ୍ଭୀର ମାନଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପ୍ରତି ବର୍ଷ ଶୀତ ଋତୁରେ ଏଠାକୁ ବହୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଯାହା ଏହି ଜଳ ଭଣ୍ଡାରର ଶୋଭାକୁ ବୃଦ୍ଧି କରିଥାଏ। ତେଣୁ ପର୍ଯ୍ୟଟକଙ୍କ ବୁଲିବା ପାଇଁ ଏହା ଏକ ଉତ୍କୃଷ୍ଟ କ୍ଷେତ୍ର ପାଲଟିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।୪୫ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ କରାଯାଇଥିବା ୱାଚ୍ ଟାୱାରରେ ୪ଟି ସୁଟ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗକୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ସେହିପରି ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ସାତଧାଙ୍ଗୁଡ଼ି ପର୍ବତ ରେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ମାଣ ଚାଲିଥିବା ପର୍ଯ୍ୟଟନ ବିଭବ, ଅତ୍ୟାଧୁନିକ ପାର୍କ ର ଉନ୍ନୟନ କାର୍ଯ୍ୟ ଏବଂ ତପ୍ତପାଣି ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାଲିଥିବା ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଜିଲ୍ଲାପାଳ ଙ୍କ ସହ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ, ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟର ସହକାରୀ ନିର୍ବାହୀଯନ୍ତ୍ରୀ ଇଂ.ଗଙ୍ଗାଧର ଦାସ,ସହକାରୀଯନ୍ତ୍ରୀ ଇଂ. କ୍ଷୀରୋଦ ବେହେରା, ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କ ସମେତ ଜିଲ୍ଲା ର ପଦସ୍ଥ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।


