ହନୁମାନ ଜୟନ୍ତୀ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା): ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ବାଲେଶ୍ୱର ସହରର ଟାଉନହଲ ନିକଟସ୍ଥ ଶ୍ରୀ ହନୁମାନ ମନ୍ଦିରରେ ଗତ କାଲି ଓ ଆଜି ଦୁଇ ଦିନ ଧରି ଶ୍ରୀ ହନୁମାନ ଜୟନ୍ତୀ ପାଳିତ ହୋଇଛି। ଗତକାଲି ସୋମବାର ଦିନ ପ୍ରାତଃ ସମୟରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀ ସୁନ୍ଦରାକାଣ୍ଡ ପାରାୟଣ ସହ ୧୦୮ ଶ୍ରୀ ହନୁମାନ ଚାଳିଶା ପାଠ ଅତ୍ୟନ୍ତ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି। ଦିବା୧୦ ଘଟିକା ସମୟରେ ମନ୍ଦିର କମିଟିର ଆବାହକ ଡ. ଶ୍ରୀ ଗୌର ସାଧନ ମିଶ୍ରଙ୍କ ଦ୍ୱାରା ସଂକଳ୍ପ କରିବା ପରେ ମନ୍ଦିର ପୂଜକ ପଣ୍ଡିତ କୃତ୍ତିବାସ ପଣ୍ଡା ପ୍ରଦୀପ ପ୍ରଜ୍ଜ୍ୱଳନ କରଥିଲେ ଏବଂ ବିଶିଷ୍ଟ ପ୍ରବଚକ ପଣ୍ଡିତ ଆଦିତ୍ୟ ନାରାୟଣ ମିଶ୍ର ଓ ତାଙ୍କ ସହଯୋଗୀ ସମସ୍ତଙ୍କ ଉପସ୍ଥିତିରେ ଶଙ୍ଖ ଓ ଜୟ ଶ୍ରୀରାମ ଧ୍ୱନି ସହିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ପୁଷ୍ପାଞ୍ଜଳି ଦେବା ସହ ଶ୍ରୀହନୁମାନ ଜୟନ୍ତୀ ଉତ୍ସବର ଶୁଭାରମ୍ଭ କରିଥଲେ ଏବଂ ଏହି ଅଧ୍ୟାତ୍ମିକ କାର୍ଯ୍ୟର ଭୂୟସୀ ପ୍ରଂଶସା କରିଥିଲେ । ସୋମବାର ସନ୍ଧ୍ୟାରେ ସବୁ ଭକ୍ତ କ୍ଷୀରି ଖେଚୁଡ଼ି ପ୍ରସାଦ ସେବନ କରିଥିଲେ ଏବଂ ମଙ୍ଗଳବାର ଦିବା ୧୨ ଘଟିକାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତେ ପ୍ରାସାଦ ସେବନ କରି ବହୁ ଆନନ୍ଦିତ ଅନୁଭବ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶ୍ରୀ ହନୁମାନ ଭଗବାନଙ୍କର ସମସ୍ତ ପୂଜାର୍ଚ୍ଚନା ବିଧିବିଧାନ ଅନୁସାରେ ପଣ୍ଡିତ କୃତିବାସ ପଣ୍ଡା ଓ ତାଙ୍କ ସହଯୋଗୀ ବେଦଜ୍ଞ ପଣ୍ଡିତ ବ୍ରାହ୍ମଣ ଅତ୍ୟନ୍ତ ନିଷ୍ଠାର ସହିତ କରିଥଲେ । ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ଓ ପୂର୍ଣ୍ଣାଳତି ସହ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତେ ଲଡୁ ଭୋଗ ଗ୍ରହଣ କରି ହନୁମାନ ଭଗବାନଙ୍କର କୃପା ଲାଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସହର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ଶ୍ରୀ ଗୋପାଳ ଚନ୍ଦ୍ର ନାୟକ ଓ ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ସଧାରଣ ସମ୍ପାଦକ ଶ୍ରୀ ଗୌର ଚନ୍ଦ୍ର ଦାଶ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିପୁଳ ସଂଖ୍ୟାର ରାମଭକ୍ତମାନେ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରିବା ସହ ‘ଜୟ ଶ୍ରୀରାମ’ ଧ୍ୱନି କରି ମନ୍ଦିର କମିଟିର ସବୁ ସଦସ୍ୟଙ୍କୁ ଏହି ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ।
ମଙ୍ଗଳବାର ସନ୍ଧ୍ୟାରେ ସଦର ବିଧାୟକ ମାନ୍ୟବର ଶ୍ରୀ ମାନସ କୁମାର ଦତ୍ତ ଆସି ଦର୍ଶନ କରିବା ସହ ଯଜ୍ଞକୁଣ୍ଡରେ ସାରା ବିଶ୍ୱର କଲ୍ୟାଣ ନିମନ୍ତେ ଆହୁତି ଦେଇ ଶ୍ରୀହନୁମାନ ଭଗବାନଙ୍କୁ ପ୍ରାର୍ଥନା କରିଥଲେ ଏବଂ ଏହି ମନ୍ଦିରର ଉନ୍ନତି ତଥା ଟାଉନ ହଲ ରୋଡ଼୍ରୁ ମନ୍ଦିରକୁ ଥିବା ମୁଖ୍ୟ ପ୍ରବେଶ ଦ୍ୱାର ପାଇଁ ତାଙ୍କ ପାଣ୍ଠିରୁ ଆର୍ôଥକ ଅନୁଦାନ ଏହି ବର୍ଷ ଦେବେ ବୋଲି ଘୋଷଣା କରିଥିଲେ ଏବଂ ଏଥିପାଇଁ ସମସ୍ତେ ଜୟ ଶ୍ରୀରାମ ଧ୍ୱନି ସହିତ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ। ଏହି ଧାର୍ମିକ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ବରିଷ୍ଠ ଓ ସକ୍ରିୟ ସଦସ୍ୟ ସର୍ବଶ୍ରୀ ଲକ୍ଷ୍ମଣ କୁମାର ବାରିକ, ପ୍ରଶାନ୍ତ କୁମାର ଦାସ, ରଞ୍ଜିତ୍ ନନ୍ଦୀ, ବସନ୍ତ କୁମାର ଦାସ, ସନାତନ ଲେଙ୍କା, ବିକ୍ରମ କେଶରୀ ମହାପାତ୍ର, ସିଦ୍ଧାର୍ଥ ପ୍ରଧାନ, ଜଗବନ୍ଧୁ ଦାଶ ଏବଂ ସକ୍ରିୟ ଯୁବ ସଦସ୍ୟ ସର୍ବଶ୍ରୀ ରୂପରଞ୍ଜନ ବାରିକ, ରାକେଶ ନନ୍ଦୀ, ଚନ୍ଦ୍ର ଶେଖର ମହାପାତ୍ର, ଗୌରଜ୍ୟୋତି ମିଶ୍ର ଓ ଶୁଭେଚ୍ଛୁ ସର୍ବଶ୍ରୀ ଚନ୍ଦ୍ରାଶୁ ବାନାର୍ଜୀ, ଜ୍ଞାନ ରଂଜନ ପାଣି, ଚିନ୍ମୟ କୁମାର ରାଉତ, ଚୁନିଲାଲ ଭୌମିକ ତଥା ସମସ୍ତ ଭକ୍ତମାନେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ଆନ୍ତରିକ ସହଯୋଗ କରିଥିଲେ। ଶେଷରେ ପ୍ରବଚକ ଶ୍ରୀ ଶାନ୍ତି ସ୍ୱରୂପ ମିଶ୍ର ଶ୍ରୀରାମ କଥା ଉପରେ ପ୍ରବଚନ ଦେଇଥିଲେ ଏବଂ ଏହା ଶୁଣି ସମସ୍ତେ ବହୁତ ପ୍ରୀତ ହୋଇ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସର୍ବସଫଳତା ପାଇଁ ଆବାହକ ଡ. ଶ୍ରୀ ଗୌର ସାଧନ ମିଶ୍ର ସମ୍ପୃକ୍ତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିବା ସହ ହନୁମାନ ଭଗବାନଙ୍କର କୃପା ଭିକ୍ଷା କରି ସମସ୍ତଙ୍କର ମଙ୍ଗଳ କାମନା କରଥିଲେ।


