ସମବାୟ ଚିନିଶିଳ୍ପରେ ଅଗ୍ନିନିରାପତ୍ତା ମକ୍ଡ୍ରିଲ୍ କାର୍ଯ୍ୟକ୍ରମ
ଆସିକା(ୱାଇଏନ୍ଏସ୍): ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଆସିକା ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ସମବାୟ ଚିନିଶିଳ୍ପ ପରିସରରେ ଏକ ଜରୁରୀକାଳୀନ ମକ୍ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଆସିକା ସମବାୟ ଚିନିଶିଳ୍ପର ପରିଚାଳାନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା ଓ ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଚିନିକଳ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ମକ୍ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମରେ କାରଖାନା ବୟଲର୍ ଭୂବନେଶ୍ୱର ଡିଭିଜନର ଉପନିର୍ଦ୍ଦେଶକ ଅଶ୍ୱିନୀକାନ୍ତ ନାୟକ, ବ୍ରହ୍ମପୁର ଜୋନ୍ର ସହକାରୀ ନିର୍ଦ୍ଦେଶକ ରଂଜିତ୍ କୁମାର ନାୟକ, ସମବାୟ ଚିନିଶିଳ୍ପର ମୁଖ୍ୟଯନ୍ତ୍ରୀ ଇଂ କେଦାରନାଥ ସାହୁ ଓ ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, ଡିଷ୍ଟିଲେରୀ ବିଭାଗର ଯନ୍ତ୍ରୀ ଦୁଷ୍ମନ୍ତ ପାଢୀ, ଡିଷ୍ଟିଲେରୀ ବିଭାଗର କେମିଷ୍ଟ ଅକ୍ଷୟ କୁମାର ସ୍ୱାଇଁ, ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ତଥା ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀ ମାନଙ୍କୁ ନିଆଲିଭା ଅଭ୍ୟାସ ସହ ହଠାତ୍ ନିଆଁ ଲାଗିଲେ କିପରି ସେଥିରୁ ନିଜକୁ ରକ୍ଷା କରିବା ଓ ଅନ୍ୟକୁ ସୁରକ୍ଷା ଦେବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ କିପରି ରକ୍ଷା କରିବା, ନିଆଁକୁ କିପରି ଆୟତ୍ତ କରିବା, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର ସମେତ ବିଭିନ୍ନ ବିଷୟ ଉପରେ ସଚେତନ ଓ ତାଲିମ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଗାଡିଚାଳକ ଜଟକିଶୋର ହାତୀ, ଅଗ୍ନିଯୋଦ୍ଧା ବାବୁଲା ଗୌଡ ଓ ଅଜୟ କୁମାର ରାଉତ ଏବଂ ସୁଶାନ୍ତ ବେହେରା ପ୍ରମୁଖ ଯୋଗଦେଇ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ ଉପରୁ ସିଢି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର, ରସି ସାହାଯ୍ୟରେ ଜନସାଧାରଣଙ୍କୁ ଉଦ୍ଧାର, ତୈଳଜାତୀୟ ନିଆଁକୁ ସିଓଟୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଲିଭାଇବା, ଅମ୍ଳଜାନ ନଥିବା ସ୍ଥାନକୁ ଯାଇ କୃତ୍ରିମ ଶ୍ୱାସପ୍ରଶ୍ୱାସ ନଳୀ ବ୍ୟବହାର କରି ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବୁଡି ଯାଉଥିବା ଲୋକଙ୍କୁ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଉଦ୍ଧାର କରିବା ସେ ସଂକ୍ରାନ୍ତରେ ବିଭିନ୍ନ କୌଶଳ ମାଧ୍ୟମରେ ମକ୍ଡ୍ରିଲ୍ ପ୍ରଦର୍ଶନ କରିଥିଲେ । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା ଓ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ଅଗ୍ନି ନିରାପତ୍ତା ସଚେତନତା ମକ୍ଡ୍ରିଲ୍ କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନର କର୍ମଚାରୀ ଏମ୍.ରାମବାବୁ ଦୋରା, ଅତୁଲ୍ୟ ଖଣ୍ଡୁଆଳ, ବିନୋଦ କୁମାର ଜେନା, ସୁଜିତ୍ କୁମାର ପୃଷ୍ଟି, ଶମ୍ଭୁ ନାହାକ, ପ୍ରଶାନ୍ତ ନାହାକ, ସିମାଞ୍ଚଳ ମହାନ୍ତି, କପିଳେଶ୍ୱର ଜେନା, କୃଷ୍ଣଚନ୍ଦ୍ର ଲେଙ୍କା, ବିପିନ୍ ବିହାରୀ ସ୍ୱାଇଁ, ହାଡୁବନ୍ଧୁ ପାତ୍ର, ତ୍ରିନାଥ ସ୍ୱାଇଁ, ଲକ୍ଷ୍ମୀନାରାୟଣ ସାହୁ, ତ୍ରିଲୋଚନ ନାୟକ, ସଂଜୟ କୁମାର ଷଡଙ୍ଗୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଗ୍ନିକାଣ୍ଡ ସମୟରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ଓ ପ୍ରତିଷେଧକ ସତର୍କ ପଦକ୍ଷେପ ସଂକ୍ରାନ୍ତରେ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ଭଳିି ଚଳିତବର୍ଷ ମଧ୍ୟ ଦେଶବ୍ୟାପୀ ପାଳିତ ହେଉଛି ଅଗ୍ନିଶମ ସୁରକ୍ଷା ସପ୍ତାହ । ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଅଗ୍ନିଶମ ସୁରକ୍ଷା ସପ୍ତାହ ଆସନ୍ତା ୨୦ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ୮୨ତମ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଆଗ୍ନେୟମାନେ ଜନସାଧାରଣମାନଙ୍କୁ ଅଗ୍ନିସତର୍କତା ପାଳନ ଓ ଅଗ୍ନି ଦାଉରୁ ରକ୍ଷା ସଂପର୍କରେ ସଚେତନ କରୁଥିବା ଦେଖିବାକୁ ମିଳୁଛି ।


