ଶଗଡ଼କୁ ଧକ୍କା ଦେଲା ହାଇୱା: ଦୁଇ ଶଗଡ଼ିଆ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ପାଇକ ଜଗନ୍ନାଥପୁର – ପ୍ରତାପଗିରି ଗ୍ରାମ ଛକ ପୋଖରୀ ନିକଟ ବୁଲାଣି ରାସ୍ତାରେ ବୁଧବାର ବିଳମ୍ବିତ ରାତି ରେ ଦ୍ରୁତଗତି ରେ ଯାଉଥିବା ଚୋରା ବାଲି ବୋଝେଇ ହାଇୱା ଟ୍ରକ୍ (ନଂ. ଓଡ଼ି୦୨ ଡିକେ -୧୭୧୨) ଏକ ନଳୀ ବାଉଁଶ ବୋଝେଇ ଶଗଡ଼ କୁ ଧକ୍କା ଦେବାରୁ ୨ ଜଣ ଶଗଡ଼ିଆ  ମୃତ୍ୟୁବରଣ କରିଛନ୍ତି।ମୃତକ ଦ୍ବୟ ହେଲେ ପ୍ରତାପଗିରି ଗ୍ରାମ ବଡ଼ଦାଣ୍ଡ ସାହିର ବିଜି ଓରଫ ବିଜୟ ଗୌଡ଼(୫୫) ଏବଂ ନାଥ ଜେନା(୬୦)। ବୁଧବାର ଭୋର ପ୍ରାୟ ୪ ଟାରେ ଉଭୟେ ଶଗଡ଼ ନେଇ  ନିକଟସ୍ଥ ରତନେଇ ଜଙ୍ଗଲ କୁ ଯାଇଥିଲେ। ଶଗଡ଼ରେ ନଳୀ ବାଉଁଶ ବୋଝେଇ କରି ଫେରୁଥିଲେ। ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ ଟାରେ କଉଡ଼ିଆ ଗାଁ ରେ ରହୁଥିବା ନାଥ ଜେନା ଙ୍କ ସମ୍ପର୍କୀୟ ଙ୍କ ଘର  ଅଭିମୁଖେ ଶଗଡ଼ ନେଇ ଯାଉଥିବା  ବେଳେ ବିପରୀତ ଦିଗରୁ ଘୋଡ଼ାହାଡ଼ ନଦୀ ରୁ ଚୋରା ରେ ବାଲି ନେଇ ପ୍ରତାପଗିରି ଗାଁ ଅଭିମୁଖେ ଯାଉଥିବା ହାଇୱା  ଟ୍ରକ୍ ଟି ଶଗଡ଼ କୁ ସମ୍ମୁଖ ଭାଗରୁ ଧକ୍କା ଦେବାରୁ ଶଗଡ଼ିଆ ବିଜିି ଏବଂ ନାଥ ଗୁରୁତର ଆହାତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଆଡପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନାଥ ଙ୍କୁ ମୃତ ଘୋଷଣା କରିଥିଲେ। ବିଜି ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପାଟପୁର ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ହାଇୱା ଟ୍ରକ୍ ଏବଂ ଶଗଡ଼ କୁ ଜବତ କରି ମକଦ୍ଦମା ରୁଜୁ କରିଛନ୍ତି। ସେହିପରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୁଲିସ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଖବର ପ୍ରଚାରିତ ହେବାପରେ  ଗାଁ ରେ ଗୁରୁବାର ସକାଳୁ ଶୋକାକୁଳ ପରିବେଶ ଲାଗି ରହିଥିଲା। ମଧ୍ୟାହ୍ନରେ ମୃତଦେହ ଗାଁ ରେ ପହଞ୍ଚିବା ପରେ ସମସ୍ତ ବନ୍ଧୁବର୍ଗ ଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ଦୁର୍ଘଟଣାରେ ଶଗଡ଼ ଟାଣୁ ଥିବା ୨ ଟି ପୋଢ଼ ଆହାତ ହୋଇଥିଲେ। ସେଥିରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଗୋଟିଏ ପୋଢ଼ କୁ ରାସ୍ତାକଡ ଜମିରେ ମାଟି ଖୋଳି ଅତି ତରବରିଆ ଭାବେ ପୋତି ଦିଆଯାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ