ଟ୍ରକମାଲିକ ବିଶ୍ୱରଞ୍ଜନଙ୍କ ଆତ୍ମହତ୍ୟା
ହାଟଡିହି,(ଓ୍ବାଇଏନଏସ) : ହାଟଡିହି ବ୍ଲକ ବଙ୍ଗୋର ପଞ୍ଚାୟତ ବଉଳା ଖାଦାନ ହାଟର ସ୍ୱର୍ଗତ ବିନୋଦ ରାଉତଙ୍କ ପୁତ୍ର ତଥା ବରିଷ୍ଠ ବିଜେପି ନେତା ବିବେକାନନ୍ଦ ରାଉତଙ୍କ ଭାଇ ବିଶ୍ୱରଞ୍ଜନ ରାଉତ୍ (୫୫) ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘର ସଦସ୍ୟ ଥିବା ବେଳେ ଗତକାଲି ବୁଧବାର ଅପରାହ୍ନରେ ବଉଳାସ୍ଥିତ ନିଜ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଜଣା ପଡି ନଥିବା ବେଳେ ସୋ ସୋ ପୋଲିସ ସାଇଣ୍ଟିଫିକ ଟିମ ସହଯୋଗରେ ତଦନ୍ତ କରିଥିବା ବେଳେ ମୃତଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି। ମୃତ ବିଶ୍ୱରଞ୍ଜନ ଭଦ୍ରକରେ ସପରିବାର ରହୁଥିବା ବେଳେ ଅଧିକାଂଶ ସମୟରେ ଟ୍ରକ ବ୍ୟବସାୟ କଥା ବୁଝିବାକୁ ବଉଳା ଆସିଥାନ୍ତି। ଗତକାଲି ସେ ବଉଳା ଆସି ଖାଦାନହାଟ ସ୍ଥିତ ନିଜ ଘରେ ରହିଥିଲେ। କୌଣସି କାରଣକୁ ନେଇ ମାନସିକ ଭାରସାମ୍ୟ ହରାଇ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ପୋଲିସ ତଦନ୍ତ ସମୟରେ ଭାଇ ରାଧାକୃଷ୍ଣ ରାଉତ, ବିବେକାନନ୍ଦ ରାଉତ , ବିଶ୍ୱଜିତ୍ ରାଉତ , ଗୋପାଳ ରାଉତ , ଗଗନ ରାଉତ , ରାଜେନ୍ଦ୍ର ରାଉତ, ଚତୃଭୁଜ ରାଉତ ଆଦି ସମସ୍ତ ଭାଇ ,ଭଉଣି ,ଝିଆରୀ ପୁତୁରା , ପୁତ୍ର ଓ ସମସ୍ତ ପରିବାର ସଦସ୍ୟ ଏବଂ ତାଙ୍କ ଧର୍ମପତ୍ନୀ ଉପସ୍ଥିତ ଥିଲେ । ବହୁ ଟ୍ରକ ମାଲିକ ଓ ସାଙ୍ଗ ସାଥି , ବରିଷ୍ଟ ବ୍ୟକ୍ତି ମାନେ ତାଙ୍କ ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ମରଶରୀରକୁ ଖାଦନହାଟ ପରିକ୍ରମା କରାଯାଇ ନିଜ ଘରବାଡ଼ିରେ ଶେଷକୃତ ସମ୍ପନ୍ନ କରାଯାଇଥିଲା ।


