ସ୍ୱତନ୍ତ୍ର ସଘନ ସଂଶୋଧନ ଭୋଟରଙ୍କ ଅଭିଯୋଗ ଶୁଣାଣି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରାଞ୍ଚଳର ଚିଠା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନରେ ଶୁଣାଣି ପ୍ରକ୍ରିୟା ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ରଵିବାର ଠାରୁ ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଳକ ତରଫରୁ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ଏବଂ ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ଠରେ ଆୟୋଜିତ ଭୋଟର ତାଲିକାରେ ବୁଥ ଗୁଡ଼ିକର ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ସୁଶ୍ରୀ ସାଗରିକା ଷଡ଼ଙ୍ଗୀ, ଅତିରିକ୍ତ ବିଡିଓ ଅରୁଣ କୁମାର ପ୍ରଧାନ, ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ଜନକଲ୍ୟଣ ସମ୍ପ୍ରସାରଣ ଅଧିକାରୀ ଅନିଲ ପ୍ରଧାନ, ଯୋଗଦେଇ ଭୋଟର ମାନଙ୍କ ଅଭିଯୋଗ ଶୁଣିବା ସହିତ କମିଶନଙ୍କ ଦ୍ଵାରା ନିର୍ଦ୍ଧାରିତ ଦସ୍ତାବିଜ ଗ୍ରହଣ କରିଥିଲେ।ଏପରି ସ୍ୱତନ୍ତ୍ର ସଘନ ସଂଶୋଧନ ଶୁଣାଣି ଶିବିର ୧୯ ତାରିଖ ରବିବାର ଠାରୁ ଆରମ୍ଭ ହୋଇ ଆସନ୍ତା ମାସ ଅଗଷ୍ଟ ୨୨ତାରିଖ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୁପରଭାଇଜର ଅଖିଳ କୁମାର ପଣ୍ଡା କହିଛନ୍ତି। ସେହିପରି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ତପନ କୁମାର ମହାପାତ୍ରଙ୍କ ସଂଯୋଜନାରେ ଏକ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶୁଣାଣି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ, ନିର୍ଭୁଲ ଏବଂ ସମୟବଦ୍ଧ ଭାବେ ଶେଷ କରିବା ସହ ନିର୍ଭୁଲ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଜଣାପଡ଼ିଛି। କାର୍ଯ୍ୟକ୍ରମରେ ଜିପିଡିଓ ଜି. ରବି କୁମାର, ହିଞ୍ଜିଳିକାଟୁ ପୌରପରିଷଦ ସୁପରଭାଇଜର ଅଖିଳ ପଣ୍ଡା, ରଘୁନାଥ ସାହୁ, ପୋଡଙ୍ଗୀ ସୁପରଭାଇଜର ବି. କେଶବ, ସିକିରି ସୁପରଭାଇଜର ରାମହରି ଦାଶଙ୍କ ସହ ବହୁ ଅଭିଯୋଗକାରୀ ଓ ବିଏଲଓ ଉପସ୍ଥିତ ଥିଲେ।


