ଘୁଞ୍ଚିଲା ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି
କଟକ, (ଓ୍ବାଇଏନଏସ): ପୂର୍ବତନ ଜେଲ୍ ଡିଜି ତଥା ବର୍ତ୍ତମାନ ଗୃହ ବିଭାଗରେ ଓଏସ୍ଡି ଭାବେ କାର୍ଯ୍ୟରତ ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କୁ ନେଇ ଚାଲିଥିବା ଯୌନ ନିର୍ଯାତନା ମାମଲାରେ ଆଜି ହାଇକୋର୍ଟରେ ହେବାକୁ ଥିବା ଆଗୁଆ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି। ହାଇକୋର୍ଟ ଏହି ଆବେଦନର ଶୁଣାଣି ଆସନ୍ତା ନଭେମ୍ବର ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସେହିପରି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୁଲଦୀପ ରଥଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ମଧ୍ୟ ସମାନ ଦିନକୁ ଘୁଞ୍ଚାଇ ଦିଆଯାଇଛି। ସୂଚନା ଅନୁଯାୟୀ, ଚୌଦ୍ୱାର ଜେଲ୍ର ପୂର୍ବତନ ମହିଳା ଜେଲରଙ୍କ ପକ୍ଷରୁ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଚୌଦ୍ୱାର ଥାନା ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫଦାରୀ ଆଶଙ୍କା କରି ଗତ ସୋମବାର ସୁଶାନ୍ତ ନାଥ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ। ଏଥିସହ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଖାରଜ କରିବାକୁ ମଧ୍ୟ ସେ ଆବେଦନ କରିଛନ୍ତି।ଅନ୍ୟପକ୍ଷରେ, ଏହି ଘଟଣାରେ ମଧ୍ୟସ୍ଥି ଭାବେ ଅଭିଯୋଗ ହୋଇଥିବା କୁଲଦୀପ ରଥ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ସହ ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି। ତାଙ୍କ ଆବେଦନର ଶୁଣାଣି ମଧ୍ୟ ନଭେମ୍ବର ୬ ତାରିଖକୁ ଧାର୍ଯ୍ୟ ହୋଇଛି।ଏହି ମାମଲାରେ ଅଭିଯୋଗକାରିଣୀ ତଥା ଚୌଦ୍ୱାର ଜେଲ୍ର ପୂର୍ବତନ ମହିଳା ଜେଲରଙ୍କ ବୟାନ ଆଜି ଟାଙ୍ଗୀ କୋର୍ଟର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ରେକର୍ଡ କରାଯାଇଛି। ଏହା ପୂର୍ବରୁ ଚୌଦ୍ୱାର ଥାନାରେ ମଧ୍ୟ ତାଙ୍କ ବୟାନ ରେକର୍ଡ ହୋଇଥିଲା। ତେଣୁ ଆସନ୍ତା ୬ ତାରିଖରେ ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ଏହି ମାମଲାରେ ଗୁରୁତ୍ୱ ବହନ କରୁଛି।


