କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ

ଛତ୍ରପୁର,(ଓ୍ବାଇଏନଏସ):  ମାଇଗ୍ରେସନ୍ ମଲ୍ଟି-ପାର୍ଟନର ଟ୍ରଷ୍ଟ ଫଣ୍ଡ  ଅଧୀନରେ ପରିଚାଳିତ ଯୁଗ୍ମ କାର୍ଯ୍ୟକ୍ରମର ୪ର୍ଥ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି  ବୈଠକ ଆଜି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। “ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଅଞ୍ଚଳର ପ୍ରବାସୀ ଓ ଅସୁରକ୍ଷିତ ପରିବାରମାନଙ୍କର ଜଳବାୟୁ ପରିବର୍ତ୍ତନ ପ୍ରତି ସହନଶୀଳତା ବୃଦ୍ଧି” ଶୀର୍ଷକ ଏହି ଯୁଗ୍ମ କାର୍ଯ୍ୟକ୍ରମକୁ ଆନ୍ତର୍ଜାତୀୟ ପ୍ରବାସ ସଂଗଠନ  ଏବଂ ଖାଦ୍ୟ ଓ କୃଷି ସଂଗଠନ  ମିଳିତ ଭାବେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କାର୍ଯ୍ୟାନ୍ୱୟନ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସହଯୋଗୀ ଅନୁଷ୍ଠାନ ଭାବେ  ଏଡ୍ ଏଟ୍ ଆକ୍ସନ ଏବଂ ୱାସନ କାର୍ଯ୍ୟ କରୁଛନ୍ତି। ବୈଠକରେ  ଏଫଏଓ ପକ୍ଷରୁ  ରୁତମ୍ଭରା ମିଶ୍ର ଏବଂ   ଆଇଓଏମ ପକ୍ଷରୁ ଶ୍ ନବନୀତା ଦାସ ପ୍ରକଳ୍ପର ବର୍ତ୍ତମାନ ସୁଦ୍ଧାର ପ୍ରମୁଖ ସଫଳତା, ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଉପସ୍ଥାପନା କରିଥିଲେ। ଏଡ୍ ଏଟ୍ ଆକ୍ସନ ପକ୍ଷରୁ  ବିପ୍ଲବ କୁମାର ବେହେରା ଓ  କ୍ରିଷ୍ଣା ପ୍ରସାଦ ପ୍ରଧାନ , ୱାସନ୍ ପକ୍ଷରୁ  ଅଭିସିକ୍ତା ମିଶ୍ର ଓ  ରିଙ୍କୁ ଗିରି ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା କୃଷି ବିଭାଗର  ବ୍ୟୋମକେଶ ମିଶ୍ର ସଂଯୋଜକ, ସ୍କିମ ଅଫିସର ବିଷ୍ଣୁ ପ୍ରସାଦ ବେହେରା,ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ , ଶ୍ରମ, ମିସନ ଶକ୍ତି, ଓଡ଼ିଶା ଜୀବିକା ମିସନ,ଶିଶୁ ସୁରକ୍ଷା, ମୃତ୍ତିକା ସଂରକ୍ଷଣ, ସମାଜ ମଙ୍ଗଳ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇଥିଲେ। ପ୍ରକଳ୍ପର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ପାଇଁ ସମସ୍ତ ବିଭାଗର ପୂର୍ଣ୍ଣ ସହଯୋଗର ଆଶ୍ୱାସନ ଦେଇଥିଲେ। ସେ ପ୍ରବାସୀ ଶ୍ରମିକଙ୍କ ପଞ୍ଜୀକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହିତ ପ୍ରବାସ ସମ୍ବନ୍ଧୀୟ ତଥ୍ୟକୁ ଗଞ୍ଜାମ ୩୬୦ ଆପ୍‌ ମାଧ୍ୟମରେ ଡିଜିଟାଲାଇଜ୍ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକଳ୍ପ ଅଧୀନରେ ପାଞ୍ଚଟି ଗ୍ରାମରେ କରାଯାଇଥିବା ମାଇଗ୍ରେସନ୍ ଆସେସମେଣ୍ଟ ସର୍ଭେର ଫଳାଫଳ ସନ୍ତୋଷଜନକ ହେଲେ ଭବିଷ୍ୟତରେ ଏହି ପଦକ୍ଷେପକୁ ସମଗ୍ର ଜିଲ୍ଲାରେ ବିସ୍ତାର କରିବା ପାଇଁ ବିଚାର କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ। ଏହା ସହିତ ଗ୍ରାମ ସ୍ତରରେ ଜଳବାୟୁ ସହନଶୀଳ ଜୀବିକା ମଡେଲ୍ ବିକାଶ, ସ୍ଥାନୀୟ ଉଦ୍ୟୋଗ ସ୍ଥାପନ ଓ ଗ୍ରାମୀଣ ଉଦ୍ୟୋଗୀକରଣକୁ ପ୍ରୋତ୍ସାହନ ଦେଇ ପ୍ରବାସର ଚାପ ହ୍ରାସ କରିବା ଦିଗରେ ସମସ୍ତ ବିଭାଗକୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାରଙ୍କୁ ମାନସିକ ପରାମର୍ଶ, ମନୋସାମାଜିକ ସହାୟତା ଏବଂ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ ପାଇଁ ଉପଲବ୍ଧ ଟୋଲ୍-ଫ୍ରି ସାଇକୋସୋସିଆଲ୍ ହେଲ୍ପଲାଇନ୍ ନମ୍ବର ୧୮୦୦-୩୪୫-୭୮୮୫ ର ବ୍ୟାପକ ପ୍ରଚାର ଓ ବ୍ୟବହାର ସୁନିଶ୍ଚିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପ ଗଞ୍ଜାମ ଜିଲ୍ଲାର ତିନୋଟି ବ୍ଲକରେ କାର୍ଯ୍ୟକାରୀ ହେଉଛି। ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଜଳବାୟୁ ସହନଶୀଳ ଜୀବିକାକୁ ପ୍ରୋତ୍ସାହନ ଦେବା ସହିତ ପ୍ରବାସୀ ଏବଂ ଅସୁରକ୍ଷିତ ପରିବାରମାନଙ୍କ ପାଇଁ ସୁରକ୍ଷିତ, ସମ୍ମାନଜନକ ଓ ସୁସଂଗଠିତ ପ୍ରବାସକୁ ସୁନିଶ୍ଚିତ କରିବା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ