ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ଅନ୍ନ ପ୍ରସାଦର ଶୁଭାରମ୍ଭ

ପୋଲସରା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର ପ୍ରସିଦ୍ଧ ଐତିହାସିକ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ୦୭/୯/୨୬ ତାରିଖ ଠାରୁ କେବଳ ଦିବା ସମୟ ଏକ ଥର ପାଇଁ ଅନ୍ନ ପ୍ରସାଦର ଶୁଭାରମ୍ଭ ହୋଇଯାଇଛି। ଏହି ଅନ୍ନ ପ୍ରସାଦର ଦାନ ପରିମାଣ ୩୦/- ଟଙ୍କା ରଖାଯାଇଛି। ମାରଦା ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ମୂର୍ତ୍ତୀ ପରିବର୍ତ୍ତେ ପୁରୀ ଶ୍ରୀକ୍ଷେତ୍ରରୁ ଗୋପନରେ ଆସି ଚତୁର୍ଦ୍ଧାମୂର୍ତ୍ତି ଯେଉଁ ପିଣ୍ଡିରେ ସ୍ଥାନିତ ହୋଇ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଗୁପ୍ତରେ ରହି ପୂଜା ପାଉଥିଲେ ସେହି ପିଣ୍ଡି ଗୁଡ଼ିକୁ ପୂଜା କରାଯାଉଅଛି। ପଶ୍ଚିମବଙ୍ଗର ମୋଗଲ ସୁବେଦାର ତକି ଖାନ୍ ପୁରୀ ଶ୍ରୀମନ୍ଦିର ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଖବର ପାଇ ଗଜପତି ମହାରାଜ ଦ୍ୱିତୀୟ ରାମ ଚନ୍ଦ୍ର ଦେବଙ୍କ ଅନୁରୋଧ କ୍ରମେ ତତ୍କାଳୀନ ଆଠଗଡ ରାଜା, ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ରଘୁନାଥ ହରିଚନ୍ଦନ ଜଗଦ୍ଦେବ ମଥୁରାର ହାତୀ ବାଡ଼ି ପର୍ବତର ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ଦୁଇ ମାସ ମଧ୍ୟରେ ଏକ ଭବ୍ୟ ମନ୍ଦିର ସ୍ଥାପନ କରିଥିଲେ। ମନ୍ଦିର ନିର୍ମାଣ ପରେ ୧୭୩୩ ମସିହା ଡିସେମ୍ବର ୨୯  ତାରିଖ ଦିନ ଠାରୁ ଚତୁର୍ଦ୍ଧାମୂର୍ତ୍ତୀ ମାରାଦା ମନ୍ଦିରରେ ପ୍ରାୟ ଅଢ଼େଇ ବର୍ଷ  ଗୁପ୍ତରେ ରହି ପୂଜା ପାଉଥିଲେ।ମୋଗଲମାନଙ୍କ ଶ୍ରୀମନ୍ଦିର ଆକ୍ରମଣ ଭୟ ଦୂରହେବା ପରେ ୧୯୩୬ ମସିହାରେ ଚତୁର୍ଦ୍ଧାମୂର୍ତ୍ତି ପୁଣି ଶ୍ରୀମନ୍ଦିର ଫେରିଥିଲେ। ସେହି ଦିନ ଠାରୁ ମାରଦା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆସନ ପିଣ୍ଡି କୁ ପୂଜା କରାଯାଉଅଛି। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାରଦା ମନ୍ଦିରରେ ବାଲ ଭୋଗ ପାଇଁ ପ୍ରତିବର୍ଷ ଅନୁଦାନ ପ୍ରଦାନ କରୁଥିବା ବେଳେ ବର୍ତ୍ତମାନ ମାରଦା ମନ୍ଦିର ଉନ୍ନୟନ ପରିଷଦ, ଜଗନ୍ନାଥ ପ୍ରେମୀ ଓ ମଥୁରା ଗ୍ରାମବାସୀଙ୍କ ସହଯୋଗରେ ଅନ୍ନ ପ୍ରସାଦ ବ୍ୟବସ୍ଥା ଆରମ୍ଭ ହୋଇଥିବା ଯୋଗୁଁ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ