ଲଗାଣ ବର୍ଷା ବେହାଲ ଚାଷୀକୁଳ, ଧାନ ତଳି ଓ ପନିପରିବା ଚାଷ ନଷ୍ଟ

ହାଟଡିହି (ଓ୍ବାଇଏନଏସ)  : ଲଘୁଚାପ ଜନିତ  ଲଗାଣ ବର୍ଷାରେ ବେହାଲ ହୋଇଛନ୍ତି ଧାନ ଓ ପନିପରିବା ଚାଷୀ। ଗତକାଲି ସନ୍ଧ୍ୟା ଠାରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଯୋଗୁ ଚାଷ ଜମି ଉବୁଟୁବୁ ହୋଇଥିବା ବେଳେ ଅନେକ ଲୋକଙ୍କ ପନିପରିବା ଚାଷ ଉଜୁଡି ଯାଇଛି। ବିଶେଷକରି ଧାନ ଚାଷୀ ମାନଙ୍କ ଧାନ ତଳି ବାରମ୍ବାର ନଷ୍ଟ ହୋଇଯିବାରୁ ଚାଷୀ ମାନେ ଆଗକୁ କିପରି ଚାଷ କରିବେ ସେନେଇ ଚିନ୍ତାରେ ପଡିଯାଇଛନ୍ତି। ବ୍ଲକର ଶାସଙ୍ଗ ପଞ୍ଚାୟତର ଶାସଙ୍ଗ, ଚୋରଗଡିଆ, ଗୋପାଳପୁର, ଛେନାପଦି, ବଡତିରା ଆଦି ଗ୍ରାମର ଶହ ଶହ ଏକର ଚାଷଜମି ଉପରେ ଦୁଇ ତିନି ଫୁଟ ଉଚ୍ଚାର ପାଣି ଜମି ରହିବାରୁ ଅନେକ ଲୋକଙ୍କ ଧାନ ତଳି ଓ ରୁଆ ହୋଇଥିବା ଚାଷ ଜମି ଧୋଇ ଯାଇଛି। ସେହିପରି ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ୭୦ ଭାଗ ଚାଷୀଙ୍କ ଧାନ ଚାଷ ଉଜୁଡି ଯାଇଥିବା ବେଳେ ଅନେକ ଲୋକଙ୍କ ପନିପରିବା ଚାଷ ଉଜୁଡି ଯାଇଛି। ଶିବନାରାୟଣପୁର ଗ୍ରାମଟି ଚାଷୀଙ୍କ ଗ୍ରାମ ଭାବେ ଜଣାଶୁଣା। ଏଠାରେ ୫୦୦ ରୁ ଉର୍ଦ୍ଧ ପରିବାର ଧାନ ଓ  ପନିପରିବା ଚାଷ କରି ଜୀବନ ଜୀବିକା ଚଳାଇଥାନ୍ତି। ଗତ ଲଘୁଚାପ ବର୍ଷାରେ  ବାଇଗଣ, କାକୁଡି, କଲରା, ଜହ୍ନି,  ଭେଣ୍ଡି, ଲଙ୍କା, ବୋଇତାଳୁ ଆଦି ଚାଷ ନଷ୍ଟ ହୋଇଥିବା ବେଳେ କିଛି ଚାଷୀ ପୋଟଳ ଚାଷ କରି ଭଲ ଦିପଇସା ପାଇବା ଆଶା ରଖିଥିଲେ।  କିନ୍ତୁ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱରା ପୋଟଳ ଚାଷୀଙ୍କ ଫସଲ ଉଜାଡି ଦେଇଛି। ସେହିପରି ତିନି ତିନି ଥର ଧାନତଳି ପକାଇଥିବା ଚାଷୀ ମାନଙ୍କ ଧାନ ତଳି ନଷ୍ଟ ହୋଇଗଲାଣି। ଦାମୀ ବିହନ ଆଣି ଧାନ ତଳି ପକାଇ ବାରମ୍ବାର କ୍ଷତିର ସମୁଖୀନ ହୋଇଥିବା ଚାଷୀ ମାନେ ହାତୋତ୍ସାହିତ ହୋଇ ପଡିଛନ୍ତି। ଚାଷୀ ପ୍ରଭାକର ଖଣ୍ଡା ନିଜର ଚାରି ଏକର ଜମିରେ ଧାନ ଚାଷ ପାଇଁ ତିନି ୩ ଥର ତଳି ପକାଇଥିବା ବେଳେ ଲଘୁଚାପ ବର୍ଷା ଯୋଗୁଁ ତାହା ସମ୍ପୂର୍ଣ୍ଣ ପଚି ଯାଇଥିବା କହିଛନ୍ତି। ସେହିପରି ସନାତନ ଘଡେଇ ୪୦ ଡ଼ିସିମିଲ ଜମିରେ ପୋଟଳ ଚାଷ କରିଥିବା ବେଳେ ତିନିଦିନ ଧରି କ୍ଷେତ ଗୁଡିକ ପାଣିରେ ବୁଡି ରହିବାରୁ  ଗଛ ଗୁଡିକ ମରିଯାଇଥିବା ବେଳେ ପୋଟଳ ଗଛ ପଚିଯାଇଛି। ଅଢେଇ ଏକର ଜମିରେ ରୁଆ ପୋତା କରିଥିବା ବେଳେ ଏବେ ଚାଷଜମିରେ ଚାରିଫୁଟ ଉଚ୍ଚାର ପାଣି ଜମି ରହିଥିବାରୁ କିପରି ଆଉ ସେ ଚାଷ ହେବ ସେନେଇ ଚିନ୍ତାରେ ପଡିଛନ୍ତି।  ସେହିପରି ଗ୍ରାମର ନିହାର ରଞ୍ଜନ ଜେନା, ପ୍ରଦ୍ୟୁମ୍ନ ବେହେରା, ଆନନ୍ଦ ଜେନା, ସୁରେନ୍ଦ୍ର ସାହୁ, ଆତୁଳି ଖଣ୍ଡା, କୈଳାଶ ଗିରି, ପୂର୍ଣ୍ଣ ଚନ୍ଦ୍ର ବେହେରା, ଵିଷ୍ଣୁ ଚରଣ ଖଣ୍ଡା, ତୁଷାର ଦାସ, ଗୋଲଖ ଖଣ୍ଡା, ବଳରାମ ଘଡେଇ, ବଳରାମ ମିଶ୍ର, ସୁଦର୍ଶନ ଖଣ୍ଡା, ଅଭିନ୍ନ ବେହେରା, ଅର୍ଜୁନ ସାହୁ, ନନ୍ଦ କିଶୋର ବେହେରା, ସନାତନ ବେହେରାଙ୍କ ସମେତ ଶହ ଶହ ଚାଷୀଙ୍କ ସମାନ ଅବସ୍ଥା ବୋଲି କହିଛନ୍ତି।  ହେଲେ ଚଳିତ ଥର ବର୍ଷା ଚାଷୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ କରି ସହାୟତା ଯୋଗାଇ ଦେବା ସହିତ ଚାଷୀଙ୍କୁ ବିହନ ଯୋଗାଇବାକୁ ସେମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ