ଇଣ୍ଡିଆ ମେଣ୍ଟର ବନ୍ଦ ଗୁଣପୁରରେ ସମ୍ପୂର୍ଣ୍ଣ ସଫଳ
ଗୁଣପୁର (ୱାଇଏନଏସ) : ଇଣ୍ଡିଆ ମେଣ୍ଟ ଦ୍ୱାରା ଗୁରୁବାର ଦିନ ଡକାଯାଇଥିବା ବନ୍ଦ ଡାକରାରେ ଗୁଣପୁର ସମେତ ରାୟଗଡା ଜିଲ୍ଲାରେ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି I ଚାରୋଟି ମୁଖ୍ଯ ପ୍ରସଙ୍ଗ ନେଇ ଇଣ୍ଡିଆ ମେଣ୍ଟ ତରଫରୁ ସମଗ୍ର ଓଡିଶା ବନ୍ଦ ପାଳନ ହୋଇଥିବା ବେଳେ ଏହାର ପ୍ରଭାବ ଗୁଣପୁରରେ ସଫଳତାର ସହ ଶାନ୍ତି ଶୃଙ୍ଖଳାରେ ସମ୍ପନ ହୋଇଛି। ରାୟଗଡା ଜିଲ୍ଲାର ଗୁଣପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ମଧ୍ଯ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ,ବ୍ୟାଙ୍କ ପ୍ରତିଷ୍ଠାନ ଗୁଡିକ ମଧ୍ଯ ବନ୍ଦ ରହିଥିଲା। ସରକାରୀ ଅଫିସ ଗୁଡିକ ଖୋଲା ରହିଥିଲେ ମଧ୍ୟ କାରବାର କିଛି ହୋଇପାରିନଥିଲା। ଗୁଣପୁରର କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗ ଏବଂ ସିପିଆଇଏମଏଲ (ଲିବେରେସନ) ଦଳର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗଙ୍କ ନେତୃତ୍ୱରେ ଆୟୋଜିତ ବନ୍ଦ ପାଳନରେ ଇଣ୍ଡି ମେଣ୍ଟର ଶତାଧିକ କର୍ମୀ ସହରର ବାଇପାସ ଛକରେ ପିକେଟିଂ କରି ଟାୟାର ଜାଳି ଧାରଣା ଦେଇଥିଲେ। ସେହିପରି ସହରର ବିକ୍ରମପୁର ଛକ ,ପୁରୁଣା ଗୁଣପୁର ଛକରେ ମଧ୍ଯ ରାସ୍ତା ଅବରୋଧ କରାଯାଇଥିଲା।
କର୍ମୀମାନେ ପିକେଟିଂ କରି ବନ୍ଦରେ ସାମିଲ ହେବା ସହଯୋଗ କରିବାକୁ ସହରବାସୀଙ୍କୁ ନିବେଦନ କରୁଥିଲେ। ଦାବି ଗୁଡିକ ମଧ୍ୟରେ ବିଶେଷକରି ଏମଏମଡିଆର ଆଇନର ପ୍ରତ୍ଯାହାର, ମୁଖ୍ଯ ନିର୍ବାଚନ କମିଶନଙ୍କ ଇସ୍ତଫା, ବନ୍ଯା ପ୍ରପିଡିତଙ୍କୁ ସହାୟତା ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ଏହି ବନ୍ଦ ଡାକରା ଦିଆଯାଇଥିଲା। ଅନ୍ଯପଟେ ବନ୍ଦ ପାଳନ ଯୋଗୁଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଡାରି, ପଦ୍ମପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ଗୁଣୁପୁରରେ ବନ୍ଦକୁ ସହଯୋଗ ଓ ସମର୍ଥନ ଦେଇଥିବାରୁ ସମସ୍ତ ଜନସାଧାରଣଙ୍କୁ ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ ଏବଂ ତିରୁପତି ଗମାଙ୍ଗ କୃତଜ୍ଞତା ଜଣାଛନ୍ତି । ଗଣତାନ୍ତ୍ରିକ ଅଧିକାରକୁ ଦୁର୍ବଳ କରିବାର ପ୍ରୟାସ ଏବଂ ଓଡ଼ିଶାର ସମ୍ପଦର ଶୋଷଣ ବିରୋଧରେ ଏହି ବନ୍ଦ ସମ୍ପୁର୍ଣ୍ଣ ସଫଳ ହୋଇଥିବା ନେଇ ନେତାମାନେ ମତବ୍ୟକ୍ତ କରିଥିଲେ। ଏହି ଅଵସରରେ ଅନାସିମ ଶବର, କୈଳାସ ଶବର, ମିନ ଶବର, ସଞ୍ଜୟ ଶବର, ମେରୀ ଗମାଙ୍ଗ, ମାଥ୍ୟୁ ଭୂଇଁ, ସନ୍ତୋଷ ଶବର, ରଞ୍ଜନ କୁମାର ରାଇକା, କଂଗ୍ରେସର ବ୍ଲକ ସଭାପତି ରଞ୍ଜିତ ଗାଣ୍ଟା,ନଗର ସଭାପତି ରାଧାକୃଷ୍ଣ ପ୍ରଧାନମନ୍ତ୍ରୀ, ନଗର କ୍ରୋଡିନେଟର ବଳିଆ ମହାନ୍ତି, ଦିବସ ରାଇକା, ମାଥୟୁ ଦଳ ବେହେରା ପ୍ରମୁଖ ଅଂଶଗ୍ରହଣ କରି ବନ୍ଦ ପାଳନକୁ ସଫଳ କରିଥିଲେ। ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ କଢ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଏସଡିପିଓ ବାବୁଲି ନାୟକ ଏବଂ ଆଇଆଇସି କେକେବିକେ କହଁର ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ।


