କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ସଂସ୍କୃତି ଭବନରେ ଗୁରୁବାର ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଶିଶୁ ହସିଲେ ଦେଶ ହସିବ। ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଅନ୍ୱେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ ସୁରଭି। ଏହି ଉପଲକ୍ଷେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ, କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ ପବିତ୍ର ମୋହନ ବାରିକ ଅଧ୍ୟକ୍ଷତା କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଯୋଗ ଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭସ୍ମିତା ତ୍ରିପାଠୀ, ସ୍ୱାଗତିକା ସ୍ୱାଇଁ ଓ ଦୀପ୍ତି ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସୁରଭି ମହୋତ୍ସବକୁ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସମସ୍ତ ବ୍ଲକରୁ ପ୍ରାୟ ୪ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଛାତ୍ରଛାତ୍ରୀମାନେ ରଚନା, ବକୃତା, ଏଲୋକେସନ, ଚିତ୍ରକଳା, ସୃଜନଶୀଳ ଲିଖନ, ସଙ୍ଗୀତ ଓ ନୃତ୍ୟ ଇତ୍ୟାଦି ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉକ୍ତ ସାତଗୋଟି ବିଭାଗର ଜୁନିଅର ଓ ସିନିୟର ବର୍ଗରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ୩୯ ଜଣ କୃତୀ ପ୍ରତିଯୋଗୀ ଚଳିତ ମାସ ୧୨, ୧୩ ଓ ୧୪ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏଠାରେ ସୂଚନା ଯୋଗ୍ୟ ଯେ, ଜିଲ୍ଲାର ୧୧ ଗୋଟି ପିଏମଶ୍ରୀ ସ୍କୁଲମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର. ଆୟର ଜିଲ୍ଲାସ୍ତରୀୟ ମଡେଲ ପାର୍ଲିଆମେଣ୍ଟପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରୁ ଚୟନ କରାଯାଇଥିବା ୨ ଜଣ କୃତୀ ପ୍ରତିଯୋଗୀ ୧୨ ଓ ୧୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତାରେ ଭାଗ ନେବେ। ଅପରାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ, ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ, କେନ୍ଦ୍ରାପଡ଼ା ଉପ ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ) ଭାଗ୍ୟଲକ୍ଷ୍ମୀ ପୁହାଣ, ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


