ଗଜରାଜପୁରରେ ନିଆରା ଢଙ୍ଗରେ କୁମାର ଉତ୍ସବ

ନାଉଗାଁ,(ପ୍ରଦୋଷ ମହାନ୍ତି): ଆଧୁନିକତାର ଛାପରେ ଧୀରେ ଧୀରେ ହଜିଯାଉଥିବା ପୁରାତନ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଗଜରାଜପୁର ଗ୍ରାମରେ ନିଆରା ଢଙ୍ଗରେ କୁମାର ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଗ୍ରାମର ଝିଅମାନେ ପୁଚି, କବାଡ଼ି, ବୋହୂ ଚୋରି ଓ ରୁମାଲ ଚୋରି ଭଳି ପାରମ୍ପରିକ ଖେଳରେ ମାତିବା ସହ ବାହାଘରର ନିଆରା ଅଭିନୟ କରିଥିଲେ। ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ଗ୍ରାମରେ ଉତ୍ସବର ମାହୋଲ ଲାଗି ରହିଥିଲା। ବାହାଘରରେ କନ୍ୟା ଦେଖା, ମେହେନ୍ଦି, ହଳଦୀ, ମଙ୍ଗନ ଓ ବିବାହ ଭଳି ବିଭିନ୍ନ ପାରମ୍ପରିକ ରୀତିନୀତିକୁ ଅନୁକରଣ କରାଯାଇଥିଲା। ବିବାହ ଦିନ ବାଜା, ବାଣ ଓ ରୋଷଣୀ ସହ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ। ନାଚଗୀତରେ ପରିବେଶ ଉତ୍ସବମୁଖର ହୋଇଉଠିଥିବା ବେଳେ କନ୍ୟା ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା। ଏହି ଅଭିନୟରେ ଶୁଚିସ୍ମିତା ବେହେରା କନ୍ୟା, ଆଦ୍ୟାଶ୍ରୀ ପଟ୍ଟନାୟକ ବର, ଅମିତା ଦାସ ବରର ପିତା ଓ ସାଗରିକା ଦାସ କନ୍ୟାର ପିତା ଭୂମିକାରେ ଅଭିନୟ କରିଥିଲେ। ଏଭଳି ନିଆରା ପ୍ରୟାସ ପୁରୁଣା ପରମ୍ପରାର ପୁନରୁଦ୍ଧାର ସହ ଗ୍ରାମରେ ଭାଇଚାରା ଓ ସାମାଜିକ ଏକତାକୁ ମଜବୁତ କରିବ ବୋଲି ଗ୍ରାମର ମୁରବୀମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରିୟଙ୍କା ସ୍ୱାଇଁ, ରାଜଶ୍ରୀ ଦାସ, ଯାଜ୍ଞସେନୀ ଦାସ, ସ୍ନେହଲତା ସ୍ୱାଇଁ, ଇତିଶ୍ରୀ ଦାସ, ଚିନ୍ମୟୀ ବେହେରା, ଉଷାରାଣୀ ବେହେରା, ଅମ୍ବିକା ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ବେହେରା, ନିହାରିକା ଦାସ, ଶ୍ରଦ୍ଧାଞ୍ଜଳି ସେଠୀ ଓ ସାଇସ୍ମିତା ବେହେରାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ