ନାମ ପଞ୍ଜିକରଣ ପାଇଁ ଚାଷୀଙ୍କ ଲମ୍ବା ଧାଡ଼ି

ହାଟଡିହି, (ଓ୍ବାଇଏନଏସ): ଚାଷୀଙ୍କ ନାମ ପଞ୍ଜିକରଣର ଶେଷ ତାରିଖ ପାଖେଇ ଆସୁଥିବାରୁ ହାଟଡିହି ଅଞ୍ଚଳର ବିଭିନ୍ନ ସେବା ସମବାୟ ସମିତିରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ନାମ ପଞ୍ଜିକରଣ ପାଇଁ ଚାଷୀମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ନିଜ ପାଳିକୁ ଅପେକ୍ଷା କରୁଛନ୍ତି। ମରୈଗାଁ ସେବା ସମବାୟ ସମିତିରେ ଗତବର୍ଷ ୧୮୫୩ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବାବେଳେ ଚଳିତବର୍ଷ ପ୍ରାୟ ୨୧୦୦ ଜଣ ଚାଷୀ ପଞ୍ଜିକରଣ ପାଇଁ ଫର୍ମ ଦାଖଲ କରିଛନ୍ତି। ତେବେ ରବିବାର ସୁଦ୍ଧା ମାତ୍ର ୧୫୦୩ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇପାରିଛି। ସର୍ଭରରେ ବାରମ୍ବାର ଜାମ୍‌ ରହୁଥିବାରୁ ପଞ୍ଜିକରଣ ପ୍ରକ୍ରିୟା ଧିମେଇ ଯାଇଛି। ଦିନକୁ ମାତ୍ର ୫୦ରୁ ୬୦ ଜଣ ଚାଷୀଙ୍କ ନାମ ପଞ୍ଜିକରଣ ହୋଇପାରୁଥିବାରୁ ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ଚାଷୀଙ୍କ ପଞ୍ଜିକରଣ ହେବା ନେଇ ଚିନ୍ତା ବଢ଼ିଥିଲା। ଶେଷ ତାରିଖକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବାରୁ ରବିବାର ସମିତି କାର୍ଯ୍ୟାଳୟରେ ଶହ ଶହ ଚାଷୀଙ୍କ ଭିଡ଼ ଜମିଥିଲା। ସେହିପରି ରମ୍ପାସ ସମିତିରେ ୮୦୦ ରୁ ଉର୍ଦ୍ଧ ଚାଷୀ ପଞ୍ଜିକରଣ କରିବାକୁ ଥିବା ବେଳେ ଆହୁରି ଦୁଇ ଶହ ଚାଷୀ ପଞ୍ଜିକରଣ କରିପାରି ନାହାନ୍ତି।  ଚାଷୀମାନଙ୍କ କହିବା ଅନୁଯାୟୀ, ଗତ ଦୁଇରୁ ତିନି ଦିନ ହେଲା ସେମାନେ ସମିତିକୁ ଆସି ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି। ଅନେକ ଚାଷୀ ରାତି ପର୍ଯ୍ୟନ୍ତ ଅପେକ୍ଷା କରି ମଧ୍ୟ ପଞ୍ଜିକରଣ ନହୋଇ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି। ଚାଷୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମିତି ପକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇ ପଞ୍ଜିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ହେଲେ ସର୍ଭର ଜାମ୍‌ ଯୋଗୁଁ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେଉଥିବାରୁ ଆଶାନୁରୂପ ଭାବେ ପଞ୍ଜିକରଣ ହୋଇପାରୁନାହିଁ। ଚାଷୀମାନେ ସରକାରଙ୍କୁ ଆଉ କିଛିଦିନ ସମୟ ବଢ଼ାଇବାକୁ ଦାବି କରିଥିଲେ। ଏ ସମ୍ପର୍କରେ ମରୈଗାଁ ସମିତିର ସମ୍ପାଦକ ଶରତ କୁମାର ସେଠୀ କହିଛନ୍ତି, “ରାତିଦିନ ଲାଗି ପଞ୍ଜିକରଣ କାର୍ଯ୍ୟ କରାଯାଉଛି। ସରକାର ଯଦି ଆଉ ସାତଦିନ ସମୟ ବଢ଼ାଇ ଦିଅନ୍ତି, ତେବେ ସମସ୍ତ ଚାଷୀଙ୍କ ନାମ ପଞ୍ଜିକରଣ କରାଯାଇପାରିବ। ଇତିମଧ୍ୟରେ ସରକାର ପଞ୍ଜିକରଣ ଅବଧିକୁ ଆଉ ୭ ଦିନ ବଢ଼ାଇବାକୁ ଘୋଷଣା କରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିର୍ଦ୍ଦେଶନାମା ସମିତି ନିକଟରେ ପହଞ୍ଚିନଥିବା ସମ୍ପାଦକ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ