ମା’ ବୁଢୀ ଠାକୁରାଣୀ ଯାତ୍ରା ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଆଙ୍କୋରଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ଅପରାହ୍ନରେ ବ୍ରହ୍ମପୁର ଏମ.ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,  ପୂର୍ବତନ ସରପଞ୍ଚ କେ.ହରିବନ୍ଧୁ ରେଡ୍ଡୀ,ଅସିତ କୁମାର ସାହୁ,ଭଗବାନ ବାଡତ୍ୟା, ବିଶ୍ଵନାଥ ପ୍ରଧାନ, ରାଜ କିଶୋର ମହାନ୍ତି,ବିକ୍ରମ ସିଂ ପ୍ରମୁଖ ଗ୍ରାମର ବଡ଼ସାହି ସ୍ଥିତ ଯାତ୍ରାପୀଠ ରେ ପହଞ୍ଚି ମା ‘ ଙ୍କୁ ପୂଜାର୍ଚ୍ଚନା କରିବାସହ ଗ୍ରାମବାସୀଙ୍କ ମଙ୍ଗଳ କାମନା କରିଥିଲେ। ପ୍ରତି ୩ ବର୍ଷ ବ୍ୟବଧାନରେ ଅନୁଷ୍ଠିତ ଏହି ଯାତ୍ରା ମହୋତ୍ସବ ଗତ ବୁଧବାର ଠାରୁ ଶୁଭାରମ୍ଭ ହୋଇଥିଲା। ପ୍ରତିଦିନ ଯାତ୍ରା ପୀଠ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଯାତ୍ରା ର ଉଦଯାପନୀ ଦିବସ ଉପଲକ୍ଷେ ମଙ୍ଗଳବାର ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମ  ଏବଂ କୁକୁଡ଼ାଖଣ୍ଡି ବ୍ଲକ ନଳିହାଡ଼ ଗ୍ରାମର ପୌରାଣିକ ରାମାୟଣ ନାଟକ ଅନୁଷ୍ଠାନ ମଧ୍ୟରେ ପ୍ରତିଯୋଗିତା ମୂଳକ ବାଦି ଥିଏଟର ପରିବେଷଣ ରେ ଯାତ୍ରା ପୀଠ ଦୁଲୁକି ଉଠିଥିଲା। ନିଶାର୍ଦ୍ଧ ରେ  ମୁଖ୍ୟ ପୁରୋହିତ  ପାରମ୍ପରିକ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଯାତ୍ରା ପୀଠ ରେ ହୋମ ଯଜ୍ଞ କରାଯାଇ ଶାକ୍ତ ମନ୍ତ୍ର ପାଠ ଦ୍ଵାରା ମା ‘ ଙ୍କୁ ବିଦାୟ ନିମନ୍ତେ ଆବାହନ କରାଯାଇଥିଲା।ମା ‘ ବୁଢ଼ୀ ଠାକୁରାଣୀ ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟଧାରି ମହିଳା ମାନେ ମା ‘ ଙ୍କ ଅନୁମତି ନେଇ ମୂଳ ମନ୍ଦିର କୁ ଯିବା ଲାଗି ଘଟ ଉଠାଇଥିଲେ। ମୁଖ୍ୟ ଘଟ କୁ ଶୋଭାଯାତ୍ରା ର ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ଙ୍କ ବିଦାୟ ଯାତ୍ରା ଆରମ୍ଭ ହୋଇଥିଲା।  ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମା ‘ ଙ୍କ ବାହୁଡ଼ା ଯାତ୍ରା ରେ ନିଜକୁ ସାମିଲ କରି ଫଗୁ ରଙ୍ଗ ଖେଳିବା ସହ ୩ ବର୍ଷ ପାଇଁ ମା ‘ ଙ୍କୁ ମେଲାଣି ଦେଇଥିଲେ। ଯାତ୍ରା କମିଟି ସଭାପତି- ଧୋବା ପ୍ରଧାନ,ଗ୍ରାମ୍ୟ କମିଟି ସଭାପତି – ନିରାକାର ପ୍ରଧାନ,ସମ୍ପାଦକ – କେ. ତାରକେଶ୍ୱର ଦୋରା,କୋଷାଧ୍ୟକ୍ଷ ଏସ. କଂସ ଦୋରା,କାର୍ଯ୍ୟକର୍ତ୍ତା ଗୋପାଳ ପ୍ରଧାନ, କାହ୍ନୁ ପ୍ରଧାନ,ନନ୍ଦଗୋପାଳ ପ୍ରଧାନ,ସୁନୀଲ ଦୋରା,ଉଗ୍ରସେନ ଦୋରା ଓ ଯାତ୍ରା କମିଟି ସଭ୍ୟ ବୃନ୍ଦ ଶୋଭାଯାତ୍ରା ରେ  ଉପସ୍ଥିତ ଥିଲେ।  ଆତସ ବାଜି ରୋଷଣୀ ଏବଂ ନୃତ୍ୟ ଗୀତ ବାଦ୍ୟ ବାଜଣା ମଧ୍ୟରେ ମା ‘ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରା ପୀଠ ରୁ ବାହାରି ମୁଖ୍ୟରାସ୍ତା ଦେଇ ଗ୍ରାମର ଶେଷରେ ଥିବା ଠାକୁରାଣୀ ମନ୍ଦିର ରେ ପ୍ରବେଶ କରିଥିଲେ।ସେଠାରେ ସେବାୟତ ସମ୍ପ୍ରଦାୟ ପକ୍ଷରୁ ମନ୍ଦିର ପୀଠ କୁ ଶୋଧନ କରାଯାଇ ହୋମ ଯଜ୍ଞ କରାଯାଇଥିଲା। ପରେ ମା ‘ ଘଟ ତ୍ୟାଗ କରି ପୀଠ କୁ ଗମନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ