ପାର୍ବଣ ପୂର୍ବରୁ ପୁଲିସ ସ୍କାନ୍‌ରେ ପେସାଦାର ଅପରାଧୀ

କଟକ,(ଓ୍ବାଇଏନଏସ): ପାର୍ବଣକୁ  ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ପାଇଁ  କଟକ ପୁଲିସ ଏବେ ଅଣ୍ଟା ଭିଡ଼ିଛି । ପୂଜାରେ  ଯେପରି ପେସାଦାର ଅପରାଧୀ କୌଣସି  ପ୍ରକାର ବିଶୃଙ୍ଖଳା କରିନପାରନ୍ତି ସେଥିପାଇଁ  ପୁଲିସ ସଜାଗ ହୋଇଛି । ଦଶହରା ପୂର୍ବରୁ  ସେମାନଙ୍କୁ ଜେଲ୍‌ର ଚାରିକାନ୍ଥ ଭିତରେ ରଖିବା ପାଇଁ ଆଇନଗତ ପଦକ୍ଷେପ ନେଉଛି । ଏହି  କ୍ରମରେ କଟକ ସହରାଞ୍ଚଳ ପୁଲିସର ୨୩ଟି  ଥାନା ପରିସରରେ ରହୁଥିବା ୧୩୨ ଜଣ  ପେସାଦାର ଅପରାଧୀଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା  ୧୨୯ରେ ଅର୍ଥାତ୍‌ ପୂର୍ବର (ସିଆର୍‌ପିସି-୧୧୦)  କାର୍ଯ୍ୟାନୁଷ୍ଠାନ ନେବାକୁ ତାଲିକା ପ୍ରସ୍ତୁତ  କରାଯାଇଛି । ବିଶେଷକରି ଚୋରି, ଛିନ୍‌ତାଇ,  ନିଶା ବେପାରୀ, ବନ୍ଧୁକ ବେପାରୀ, ଦାଦାବଟି  ଆଦାୟ କରୁଥିବା ଓ ଚୋରା ମଦ ବେପାର  କରୁଥିବା ଦାଗିଙ୍କୁ ଏହି ତାଲିକାରେ ସାମିଲ  କରାଯାଇଥିବା କଟକ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପାର୍ବଣ ଋତୁ ଆସିବା ମାତ୍ରେ  ଅପରାଧୀମାନେ ଅଧିକ ସକ୍ରିୟ ହୋଇଥାନ୍ତି ।  ଚୋରି-ଛିନ୍‌ତାଇ ବଢ଼ିବା ସହିତ ଦାଦାବଟି  ଆଦାୟ ଓ ମାରାତ୍ମକ ନିଶା କାରବାର ହଠାତ୍‌ ବଢ଼ିଯାଏ । ତେଣୁ ପୂଜା ପୂର୍ବରୁ ଗଲା ଦୁଇରୁ  ତିନ ଦଶନ୍ଧି ହେବ କଟକ ପୁଲିସ ଅପରାଧୀଙ୍କ  ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଆସୁଛି ।  ଯେଉଁ ଅପରାଧୀଙ୍କଠାରୁ ଅଧିକ ବିପଦ ବା  ଆଶଙ୍କା ଥାଏ ସେମାନଙ୍କର ଏକ ତାଲିକା  ପ୍ରସ୍ତୁତ କରି ଥାନାୱାରୀ ସିଆର୍‌ପିସିର  ୧୧୦ରେ ମାମଲା କରି ଗିରଫଦାରୀ  କରାଯାଏ । ଆଉ ଯେଉଁମାନଙ୍କର ପୁରୁଣା  ମାମଲାଗୁଡ଼ିକ ଦୀର୍ଘଦିନ ହେବ ପଡ଼ିଥାଏ  ସେଗୁଡ଼ିକରେ ମଧ୍ୟ ୱାରେଣ୍ଟ୍‌ ଗୁଡ଼ିକ  କାର୍ଯ୍ୟକାରୀ କରାଯାଏ । ଏହି କ୍ରମରେ କଟକ  ପୁଲିସ ଅପରାଧୀଙ୍କର ଏକ ଲମ୍ବା ତାଲିକା  ପ୍ରସ୍ତୁତ କରିଛି । ଜୋନ୍‌-୧ ଅଧିନରେ ଥିବା  ଚୌଦ୍ୱାର ଥାନାରେ ୧୦ ଜଣ, ଜଗତପୁରରେ  ୯ ଜଣ ଓ ମାଲ୍‌ଗୋଦାମ ଥାନାରେ ୬ ଜଣ  ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ସେହିପରି ଜୋନ୍‌-୨ ଅଧିନ ଦରଘାବଜାର  ୮, କ୍ୟାଣ୍ଟନମେଣ୍ଟ ୯ ଓ ମଙ୍ଗଳାବାଗ  ଥାନାରେ ୮, ଜୋନ୍‌-୩ ଅଧିନ ଲାଲ୍‌ବାଗ  ୮, ମର୍କତନଗର ୫, ସିଡିଏ ଫେଜ୍‌ ଦୁଇ  ୪ ଓ ବିଡ଼ାନାସୀରେ ୬ ଜଣ ପେସାଦାର  ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି ।  ଏହି କ୍ରମରେ ଜୋନ୍‌-୪ ଅଧିନ ସଦର  ଥାନାରେ ୯, ବୟାଳିଶମୌଜା ୪ ଓ ବାରଙ୍ଗ ୯, ଜୋନ୍‌-୫ ଅଧିନ ସିଆର୍‌ଆର୍‌ଆଇ  ଥାନାରେ ୩, କନ୍ଦରପୁର ୪ ଓ ଚାଉଳିଆଗଞ୍ଜ  ୮ ଏବଂ ଜୋନ୍‌-୬ ଅଧିନ ମଧୁପାଟଣା  ଥାନାରେ ୭, ବାଦାମବାଡ଼ିରେ ୮ ଓ ପୁରୀଘାଟ  ଥାନା ଅଞ୍ଚଳର ୭ ଜଣ ଅପରାଧୀଙ୍କ ନାଁ  ତାଲିକାଭୁକ୍ତ ହୋଇଛି । ତେବେ ଏହିସବୁ ଅପରାଧୀଙ୍କୁ ୧୨୯ ବିଏନ୍‌ଏସ୍‌ଏସ୍‌ରେ  କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଛି ।  ମାତ୍ର ପୁଲିସ ତନାଘନା କରୁଥିବା ଦେଖି କିଛି  ଅପରାଧୀ ସହର ବାହାରକୁ ଚାଲିଯାଇଥିବା ବା  ଅଣ୍ଡରଗ୍ରାଉଣ୍ଡ୍‌ ହୋଇଥିବା ଶୁଣିବାକୁ ମିଳିଛି । ସେହିପରି କିଛି ଅପରାଧୀ ବିଭିନ୍ନ ମାମଲାରେ  ଏବେ ଜେଲ୍‌ରେ ଅଛନ୍ତି । ମାତ୍ର ପ୍ରାୟ ସବୁ  ତାଲିକାଭୁକ୍ତ ଅପରାଧୀଙ୍କ ନାଁରେ ଏହି ଧାରା  ଯୋଡ଼ାଯିବ ବା (ବିଏନ୍‌ଏସ୍‌ଏସ୍‌ର ୧୨୯)ରେ  ନୂଆ ମାମଲା କରାଯିବ ବୋଲି ସୂଚନା ମିଳିଛି ।  ତେବେ ଗତ କିଛି ବର୍ଷ ହେବ ଲଗାତାର  ଭାବେ ଅପରାଧରେ ସଂପୃକ୍ତ ରହି ପୁଲିସ ପାଇଁ  ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଅପରାଧୀଙ୍କୁ  ହିଁ ଏଥିରେ ତାଲିକାଭୁକ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ