ବଂଶଧାରା ଉପର ମୁଣ୍ଡରେ ପାଣିଡଙ୍ଗର ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଗଣ ପ୍ରତିବାଦ
ଗୁଣୁପୁର ,(ୱାଇଏନଏସ) :ନେରେଡି ପ୍ରକଳ୍ପ ନିମନ୍ତେ ଆନ୍ଧ୍ର ସରକାର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଦେଇଥିବା ବେଳେ ପ୍ରତିବାଦ ସ୍ଵରପ ସିପିଆଇ (ଏମଏଲ) ଲିବରେସନ ଦଳ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣପୁର ନୁଆ ବସଷ୍ଟାଣ୍ଡ ଠାରେ ଗଣ ପ୍ରତିବାଦ ସଭା ଆୟୋଜନ କରିଥିଲେ । ରାଜ୍ୟରେ ଗତ ବିଜେଡି ସରକାରଙ୍କ ଅମଳରେ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଏବଂ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ବେଳେ ବର୍ତ୍ତମାନ ବିଜେପି ସରକାର ମଧ୍ୟ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି। କେବଳ ପ୍ରକଳ୍ପ ସର୍ଭେ ନାମରେ କାଳକ୍ଷେପଣ ନୀତି ଅଵଲମ୍ବନ କରାଯାଇଛି। ବଂଶଧାରା ପାଣିକୁ ନେଇ ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି। ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି । ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରସ୍ତାବିତ ପାଣି ଡ଼ଙ୍ଗର ଯୋଜନା କାର୍ଯ୍ୟକାରୀ ଉପରେ ଦାବୀ କରୁଛୁ ବୋଲି ସିପିଆଇ ଏମ ଏଲ ନେତା ତିରୁପତି ଗାମା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଧ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା – ହରଭଙ୍ଗି – ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ଅଞ୍ଚଳରେ ଆନ୍ଦୋଳନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ତ୍ରୀପତି ଗମାଙ୍ଗ ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ଥିଲେ।


