ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିବା ଘଟଣା: ବିଜେଡି ପକ୍ଷରୁ ଥାନାରେ ଏତଲା

ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଏବଂ ଯୋଗ୍ୟ ଭୋଟରଙ୍କୁ ଷଡ଼ଯନ୍ତ୍ର କରି ତାଲିକାରୁ ନାମ ବାଦ୍ କରିବା ଉଦ୍ୟମକୁ ନେଇ ରାଜନୀତିରେ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି। ଧାମନଗର ଏନ୍.ଏ.ସି.ଅନ୍ତର୍ଗତ ୧୯ ଗୋଟି ବୁଥ୍ (ଯଥା ୧୪୭,୧୪୮,୧୪୩,୧୪୪,୧୬୭,୧୫୧,୧୬୧,୧୬୬, ୧୬୯,୧୭୦,୧୫୨, ୧୫୫,୧୫୬, ୧୫୪,୧୫୨,୧୭୧,୧୭୨, ୧୭୩,୧୫୩)ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବୈଧ ଓ ଯୋଗ୍ୟ ଭୋଟରମାନଙ୍କ ନାମ ତାଲିକାରୁ କାଟିବା ପାଇଁ କେତେକ ଅଚିହ୍ନା ଓ ଅସାମାଜିକ ବ୍ୟକ୍ତି ସଂଘବଦ୍ଧ ଭାବେ ଏକ ଗୁରୁତର ଷଡ଼ଯନ୍ତ୍ର କରିଛନ୍ତି। ଏହି ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟ ରଖି ଜାଲ୍ ତଥ୍ୟ ପ୍ରସ୍ତୁତ କରି ବି.ଏଲ.ଓ.(BLO)ଙ୍କ ନିକଟରେ ଅନଲାଇନ୍ ‘ଫର୍ମ-୭’ ମାଧ୍ଯମରେ ମିଥ୍ୟା ଅଭିଯୋଗ ଦାଖଲ କରିଛନ୍ତି। ଏହି ସଙ୍ଗୀନ ବେଆଇନ କାର୍ଯ୍ୟ ଭାରତୀୟ ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଅଭିଯୋଗ ଅନୁଯାୟୀ ଅନ୍ୟ ପଞ୍ଚାୟତର କିଛି ବିଜେପି ନେତା ଓ ସମର୍ଥକ ଅନ୍‌ଲାଇନ୍‌ ମାଧ୍ୟମରେ ଫର୍ମ-୭ ଦାଖଲ କରି ଏନ ଏ ସି ଅଞ୍ଚଳରେ ଥିବା ଯୋଗ୍ୟ ଭୋଟରଙ୍କ ନାମ ବାଦ୍‌ ଦେବାକୁ ଉଦ୍ୟମ କରାଯାଉଛି ବୋଲି ବିଜେଡି ଅଭିଯୋଗ କରିଛି।ଏହି ସମ୍ବେଦନଶୀଳ ପ୍ରସଙ୍ଗ ଓ ଅଭିଯୋଗର ସତ୍ୟତା ଯଦି ପ୍ରମାଣିତ ହୁଏ, ତେବେ ଏହା କେବଳ କିଛି ନାମ ଭୋଟର ତାଲିକାରୁ ବାଦ ଦେବାର ପ୍ରସଙ୍ଗ ନୁହେଁ। ଏହା ହେବ ଯୋଗ୍ୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଓ ଗଣତାନ୍ତ୍ରିକ ଅଧିକାର ଉପରେ ସିଧାସଳଖ ଆକ୍ରମଣ। ଭୋଟ ଦେବା ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ଅଧିକାର। କୌଣସି ସମ୍ପ୍ରଦାୟକୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ କରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବାର କୌଣସି ଅପଚେଷ୍ଟାକୁ କଦାପି ବରଦାସ୍ତ କରାଯିବ ନାହିଁ। ତେଣୁ ଫର୍ମ-୭ ମାଧ୍ୟମରେ ଦାଖଲ ହେଉଥିବା ପ୍ରତ୍ୟେକ ଆବେଦନର ଅଧିକାରୀଙ୍କ ପକ୍ଷରୁ ନିରପେକ୍ଷ ଯାଞ୍ଚ ସହ ଆବଶ୍ୟକସ୍ଥଳେ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରାଯାଉ। ଏପରିକି ଆବଶ୍ୟକ ପଡ଼ିଲେ ଘରଘର ବୁଲି ଭୋଟରଙ୍କ ବାସ୍ତବ ଉପସ୍ଥିତି,ବାସସ୍ଥାନ ଓ ଠିକଣା ଯାଞ୍ଚ କରାଯାଉ। ଏହାଦ୍ୱାରା ମୃତ,ସ୍ଥାନାନ୍ତରିତ କିମ୍ବା ଅବୈଧ ଭୋଟରଙ୍କ ନାମ ବାଦ୍‌ କରିବା ନାମରେ କୌଣସି ଜୀବିତ ଓ ଯୋଗ୍ୟ ଭୋଟରଙ୍କ ନାମ ଭୁଲ୍‌ରେ ବାଦ୍‌ ହେବ ନାହିଁ।ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟାରେ BLOଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନେ କୌଣସି ରାଜନୈତିକ ନେତାଙ୍କ ଚାପରେ ନଆସି ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରନ୍ତୁ ବୋଲି ବିଜେଡି ଦାବି କରିଛି। ଧାମନଗର ଅଞ୍ଚଳର ୧୯ଟା ବୁଥ୍‌ରେ ଭୋଟର ନାମ ବାଦ ନେଇ ଥାନାରେ ବିଜେଡିର ଲିଖିତ ଅଭିଯୋଗ,ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାରର ସୁରକ୍ଷା ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ସ୍ୱଚ୍ଛତା ପାଇଁ ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ ଜାରି ରହିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ନଗର ସଭାପତି ବିଜୟକେତନ ସାହୁଙ୍କ ସଭାପତିତ୍ୱରେ ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ବିଜେଡି ନେତା ସଞ୍ଜୟ କୁମାର ଦାସ,ଅଶୋକ କୁମାର ନାୟକ,ପ୍ରତାପ ସାମଲ,ସେକ ସୈଫୁଦ୍ଦିନ,ସୁଶାନ୍ତ କୁମାର ରାଉତ,ଏମଡି ଫକିରୁଦ୍ଦିନ, ଆଇନଜୀବୀ ଅମରେନ୍ଦ୍ର ମହାନ୍ତି,କାଉନସିଲର ଜୟନୁଲ ହକ୍ ସମେତ ଏକ ପ୍ରତିନିଧି ଦଳ ସହିତ ଶତାଧିକ ମହିଳା ଓ ପୁରୁଷ ଯୋଗ୍ୟ ଭୋଟର ପ୍ରମୁଖ ଚୁନୁପଡା ଛକଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ଧାମନଗର ଥାନାରେ ପହଞ୍ଚି ଆଇଆଇସିଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ତେବେ ଯେ କୌଣସି ଆବେଦନ ମିଥ୍ୟା କିମ୍ବା ଭୁଲ୍‌ ତଥ୍ୟ ଆଧାରିତ ବୋଲି ପ୍ରମାଣିତ ହେଲେ ସେଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ପକ୍ଷରୁ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି।ଅଭିଯୋଗର ନିରପେକ୍ଷ ତଦନ୍ତ କରାନଗଲେ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।ପ୍ରକାଶ ଥାଉକି ଏହାର ଏକାକିତା ନକଲ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ,ଭଦ୍ରକ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP),ଭଦ୍ରକ,ମୁଖ୍ୟ ନିର୍ବାଚନ ଅଧିକାରୀ (CEO),ଓଡ଼ିଶାଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ