ଦିନଦ୍ୱିପ୍ରହରରେ ମହିଳାଙ୍କ ମନିପର୍ସ ଝାମ୍ପିନେଲେ ଦୁର୍ବୃତ୍ତ

ଧାମନଗର (ଓ୍ବାଇଏନଏସ): ଧାମନଗର ଠାରେ ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କ ମନିପର୍ସ ଝାମ୍ପିନେବା ଘଟଣା ସହରାଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ଼ ଗ୍ରାମର ବର୍ଷାରାଣୀ ବେହେରା ବୁଧବାର ସକାଳ ପ୍ରାୟ ୧୦ଟା ସମୟରେ ତାଙ୍କ ୧୩ ବର୍ଷର ପୁଅଙ୍କ ସହ ଧାମନଗର ବଜାରକୁ ଝିଅର ଜନ୍ମଦିନ ପାଳନ ପାଇଁ ଡ୍ରେସ୍ ଓ କେକ୍ କିଣିବାକୁ ଆସିଥିଲେ। ଥାନା ବାଉଣ୍ଡରୀକୁ ଲାଗିଥିବା ପରିବା ଦୋକାନରୁ ପରିବା କିଣାକିଣି କରି ସେ ୪ ହଜାର ୫ଶହ ଟଙ୍କା ଥିବା ମନିପର୍ସକୁ ପରିବା ବ୍ୟାଗ ଭିତରେ ରଖିଥିଲେ। ବ୍ୟାଗଟି ତାଙ୍କ ପୁଅ ଧରିଥିବା ବେଳେ ଉଭୟ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛପଟୁ ଆସିଥିବା ଜଣେ ଯୁବକ ସୁଯୋଗ ନେଇ ବ୍ୟାଗ ଭିତରୁ ମନିପର୍ସ କାଢ଼ି ଦୌଡ଼ି ପଳାଇଯାଇଥିଲା। ପଛରେ ଥିବା କିଛି ଲୋକ ଘଟଣା ଦେଖି ଚିତ୍କାର କରିବା ପରେ ବର୍ଷାରାଣୀ ବ୍ୟାଗ ଯାଞ୍ଚ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ଦୁର୍ବୃତ୍ତ ଟଙ୍କା ଧରି ଫେରାର ହୋଇଯାଇଥିଲା। ଏହି ଘଟଣା ପରେ ବର୍ଷାରାଣୀ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ବଜାର ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଛି। ପ୍ରାଥମିକ ତଦନ୍ତରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ପୁଲିସର ଉଦ୍ୟମ ଜାରି ରଖିଛି। ଧାମନଗର ବଜାର ଅଞ୍ଚଳରେ ଚୋରି, ଲୁଟ୍ ଓ ଚିନ୍ତାଇ ଘଟଣା ବୃଦ୍ଧି ପାଉଥିବା ନେଇ ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକ ଚିନ୍ତା ପ୍ରକାଶ କରିଛନ୍ତି। ବଜାରରେ ପୂର୍ବରୁ ବାଇକ୍ ଚୋରି, ଦୋକାନ ଭାଙ୍ଗି ଲୁଟ୍ ଭଳି ଘଟଣା ଘଟୁଥିବା ବେଳେ ଏବେ ଦିନ ଦ୍ୱିପ୍ରହରରେ ଥାନା ନିକଟରେ ଚିନ୍ତାଇ ଘଟଣା ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ତେବେ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରି ଲୁଟ୍ ହୋଇଥିବା ଟଙ୍କା ଫେରସ୍ତ କରିବାକୁ ସାଧାରଣ ଜନତା ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ