ପ୍ରସାଦ ସେବନକୁ ନେଇ ସବର୍ଣ୍ଣ – ଅସବର୍ଣ୍ଣ ବିବାଦ ଘଟଣା: ମାମଲା ରୁଜୁ କଲା ପୁଲିସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ଅନୁଷ୍ଠିତ ହୋଇଥିବା ମା ‘ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଅନ୍ନ ଯଜ୍ଞ ରେ ପ୍ରସାଦ ସେବନ କୁ  କେନ୍ଦ୍ରକରି ସବର୍ଣ୍ଣ – ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି। ଅସବର୍ଣ୍ଣ ଗୋଷ୍ଠୀ ର ଜଣେ ମହିଳା ଙ୍କ ଏତଲାକୁ ଭିତ୍ତିକରି ଦିଗପହଣ୍ଡି ପୁଲିସ ଥାନା ମାମଲା ନଂ.୧୫୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ଚିକିଟି ଏସଡିପିଓ ବିଶ୍ୱାମିତ୍ର ହରପାଲ ଘଟଣାର ତଦନ୍ତ ଚଳାଇଛନ୍ତି  ଗ୍ରାମରେ ମା ଭଗବତୀ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ଗତ ଶୁକ୍ରବାର ଗ୍ରାମ ହରିଜନ ସାହିର କିଛି ମହିଳା ପ୍ରସାଦ ସେବନ ପାଇଁ ବସିଥିବା ବେଳେ ଅନ୍ୟ ସାହିର ସବର୍ଣ୍ଣ ଜାତି ର କିଛି ବ୍ୟକ୍ତି ସେଠାରେ ପହଞ୍ଚି ସେମାନଙ୍କୁ ଜାତିଆଣ ଆକ୍ଷେପ କରି ବଢ଼ା ଯାଇଥିବା ଖଲିପତ୍ର ଜବରଦସ୍ତ ଛଡାଇ ନେଇଥିଲେ। ପରେ ମହିଳା ମାନେ ସେଠାରୁ କାନ୍ଦି କାନ୍ଦି ଘରକୁ ଫେରି ସାହି ମୁଖିଆ ମାନଙ୍କୁ ଘଟଣା ଜଣାଇଥିଲେ।ଏନେଇ ହରିଜନ ସାହି ରେ ଉତ୍ତେଜନା ପ୍ରକାଶ ପାଇଥିଲା।ପରେ  ସାହିର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେବାପରେ ସେମାନେ ଫେରିଥିଲେ। ଘଟଣାର ଦୁଇ ଦିନ ପରେ ପୁଲିସ ଟିମ୍ ଗ୍ରାମରେ ପହଞ୍ଚି ଉଭୟ ଗୋଷ୍ଠୀ  ର ମୁଖିଆ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ହରିଜନ ସାହି ରେ ସଭା ଡକାଯାଇଥିଲା।ବିବାଦର ସମାଧାନ ସହ ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସାହି ବାସିନ୍ଦା ଙ୍କ ପକ୍ଷରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ରବିବାର ହରିଜନ ସାହିର ମୁଖିଆ ମାନେ ଦିଗପହଣ୍ଡି ଥାନାରେ ପହଞ୍ଚି ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରେ କାହିଁକି ବିଳମ୍ବ କରାଯାଉଛି ସେ ନେଇ  ପ୍ରତିବାଦ କରିଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସବର୍ଣ୍ଣ ଗୋଷ୍ଠୀ ର ମୁଖିଆ ମାନଙ୍କୁ ଥାନାକୁ ଡ଼କାଇଥିଲେ ମଧ୍ୟ କେହି ନଆସିବାରୁ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଏତଲା କୁ ଭିତ୍ତିକରି  ମକଦ୍ଦମା ରୁଜୁ କରିଛନ୍ତି। ଏନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି। ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ରୁ ଯେ କୌଣସି ମୁହୂର୍ତ୍ତରେ ବଡ଼  ଅଘଟଣ ର ଆଶଙ୍କା ରହିଥିବା ବେଳେ ସମାଧାନ ପାଇଁ ପୁଲିସ ଉଦ୍ୟମ ଚଳାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ