ବିଧାନସଭା କ୍ଷେତ୍ରରେ ବଢିଲା ୫୮ ବୁଥ୍
ଆସିକା (ୱାଇଏନ୍ଏସ୍) : ପାଖେଇ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ବିଭାଜନ ପ୍ରକ୍ରିୟା ପରେ ଏବେ ୫୮ଟି ନୂତନ ବୁଥ୍ ଗଠିତ ହୋଇଥିବା ଜଣାପଡିଛି । ଆସିକା ବିଧାନସଭା କ୍ଷେତ୍ରରେ ପୂର୍ବରୁ ୨୧୪ଟି ବୁଥ୍ ଥିବା ବେଳେ ଏବେ ତାହା ବଢି ୨୭୨ ହୋଇଛି । ନୂତନ ବୁଥ୍ ଗଠନ ଓ ବଡ ବଡ ବୁଥ୍ ବିଭାଜନ ପ୍ରକ୍ରିୟାରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୮ଟି ନୂତନ ମତଦାନ କେନ୍ଦ୍ର ଯୋଡି ହୋଇଯାଇଛି । ଆସିକା ବିଧାନସଭା ନିର୍ବଚନ ମଣ୍ଡଳୀ ଅଧିନସ୍ଥ ଆସିକା ବ୍ଳକର ୨୭ଟି ପଞ୍ଚାୟତ ଏବଂ ପୌର ପରିଷଦର ୧୮ଟି ୱାର୍ଡରେ ପୂର୍ବରୁ ୧୫୩ଟି ବୁଥ୍ ଥିବା ବେଳେ ଏବେ ୪୨ଟି ବୁଥ୍କୁ ବୃଦ୍ଧି କରାଯାଇ ସମୂଦାୟ ୧୯୫ଟି ବୁଥ୍ ଗଠନ କରାଯାଇଛି ଓ କବିସୂର୍ଯ୍ୟନଗର ବ୍ଳକର ୧୨ଟି ପଞ୍ଚାୟତରେ ପୂର୍ବରୁ ୬୧ଟି ବୁଥ୍ ଥିବା ବେଳେ ଏବେ ୧୬ଟି ବୁଥ୍କୁ ବୃଦ୍ଧି କରାଯାଇ ସମୂଦାୟ ୭୭ଟି ବୁଥ୍ ଗଠନ କରାଯାଇଥିବା ଜଣାପଡିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୮ଟି ନୂତନ ବୁଥ୍ ଯୋଡି ହେବା ପରେ ନିର୍ବାଚନ ପରିଚାଳନା ଲାଗି ଅଧିକ ମାନବସମ୍ବଳ ଓ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୁଆଁ ଠିକଣାରେ ଗଢି ଉଠିଥିବା ୫୮ଟି ଅତିରିକ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ସହଜ ଓ ସମୟସାପେକ୍ଷ ବୋଲି ଚର୍ଚ୍ଚା ହେଉଛି । ଗତ ୨୦୨୬ ମସିହା ଭୋଟର ତାଲିକା ଅନୁଯାୟୀ ଆସିକା ବିଧାନସଭା କ୍ଷେତ୍ରର ଭୋଟର ସଂଖ୍ୟା ୨ ଲକ୍ଷ ୫୬୧ ଥିଲା ବେଳେ ବୁଥ୍ ସଂଖ୍ୟା ୨୧୪ ଥିଲା । ଆସିକା ବିଧାନସଭା କ୍ଷେତ୍ରର ପ୍ରାୟ ୧୨ ଶହରୁ ଅଧିକ ମତଦାତା ଥିବା କେତେକ ମତଦାନ କେନ୍ଦ୍ର ସମେତ ଅନ୍ୟାନ୍ୟ କେତେକ ମାପଦଣ୍ଡକୁ ଆଧାର କରି ବୁଥ୍ ଗୁଡିକୁ ବିଭାଜନ କରାଯାଇ ଆଉ ୫୮ଟି ନୁଆଁ ବୁଥ୍ କରାଯାଇଥିବା ବେଳେ ବୁଥ୍ ସଂଖ୍ୟା ୨୭୨ରେ ପହଞ୍ଚିଥିବା ଜଣାପଡିିଛି ।


