ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା: ପ୍ରକାଶ ପାଇଲା ଚିଠା ଭୋଟର୍‍ ତାଲିକା

ଆସିକା (ୱାଇଏନ୍‍ଏସ୍‍) : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ୨୦୨୬ ପ୍ରକ୍ରିୟା ଅଧିନସ୍ଥ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମୂଦାୟ ୨୭୨ଟି ବୁଥ୍‍ରେ ରବିବାର ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଚିଠା ଭୋଟର ତାଲିକାରେ ନାମ ଅଛି କି ନାହିଁ ଜାଣିବା ପାଇଁ ଅଧିକାଂଶ ବୁଥ୍‍ ଗୁଡିକରେ ଯୁବ ମତଦାତାଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଗତ ମେ ମାସ ୨୮ ତାରିଖରୁ ଆରମ୍ଭ ହୋଇ ଜୁନ୍‍ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନରେ ଯେଉଁମାନେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରିଥିଲେ ସେମାନଙ୍କ ନାମ ଏହି ଚିଠା ଭୋଟର ତାଲିକାରେ ରହିଥିବା ଜଣାପଡିଛି । ଚିଠା ଭୋଟର ତାଲିକା ପ୍ରକାଶନ ପରେ ଆଜିଠାରୁ ଆସନ୍ତା ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ଏଥି ସମ୍ବନ୍ଧୀୟ ଦାବୀ ଓ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ ବୋଲି ଜଣାପଡିଛି । ଯେଉଁମାନଙ୍କର ନାମ ଚିଠା ଭୋଟର ତାଲିକାରୁ କୌଣସି କାରଣରୁ କଟି ଯାଇଛି ସେମାନଙ୍କ ନିକଟରେ ଯଦି ଆବଶ୍ୟକୀୟ ଦସ୍ତାବିଜ ରହିଥାଏ ତେବେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ କରାଯାଇପାରିବ । ଦାବୀ ଓ ଆପତ୍ତିର ସମସ୍ତ ଯାଞ୍ଚ ଓ ଫଇସଲା ଅଗଷ୍ଟ ମାସ ୫ ରୁ ସେପ୍ଟେମ୍ବର ମାସ ୨ ତାରିଖ ମଧ୍ୟରେ ସଂପନ୍ନ ହେବ ଏବଂ ସେପ୍ଟେମ୍ବର ମାସ ୬ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜଣାପଡିଛି । ଦାବୀ ଓ ଆପତ୍ତିର ଗ୍ରହଣ ଏବଂ ତାହାର ଫଇସଲା ସଂପୁର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତାର ସହ ସଂପାଦନ କରାଯିବା ସାଙ୍ଗକୁ କୌଣସି ଜଣେ ଯୋଗ୍ୟ ମତଦାତା ଯେପରି ତାଲିକାରୁ ବାଦ୍‍ ନପଡିବେ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ କେତେ ଭୋଟର ଅଛନ୍ତି ଏବଂ କେତେ ଜଣଙ୍କର ମୃତ୍ୟୁ ହୋଇଛି ଓ କେତେ ଜଣ ସ୍ଥାନାନ୍ତର ହୋଇଛନ୍ତି ତା ସାଙ୍ଗକୁ ସଠିକ୍‍ ଭୋଟର୍‍ ସଂଖ୍ୟା ଜାଣିବା ପାଇଁ ନିର୍ବାଚନ ଅଧିକାରୀ ଓଡିଶାଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଗତ ଜୁନ୍‍ ମାସ ୩୦ ତାରିଖରେ ଶେଷ ହୋଇଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ସମୂଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୫୬୧ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୨୬୮ଟି ପରିଣଗନା ଫର୍ମ ଇ-ପରିପୂରଣ ହୋଇଥିଲା ବେଳେ ଅବଶିଷ୍ଟ ୧୨ ହଜାର ୨୯୩ ଜଣ ଭୋଟରଙ୍କ ନାମ କଟିଯାଇଥିବା ଜଣାପଡିଛି । ଅର୍ଥାତ୍‍ ଏହି ଭୋଟରମାନେ ସେମାନଙ୍କର ନାଗରିକତ୍ୱର କୌଣସି ପ୍ରମାଣପତ୍ର ଦେଇପାରି ନାହାଁନ୍ତି କିମ୍ବା ମ୍ୟାପିଂ ସମୟରେ ସେମାନଙ୍କ ନାମ ଆସିପାରି ନାହିଁ । ଏପରିକି ଦେହାନ୍ତ ହୋଇଯାଇଥିବା କେତେକ ଭୋଟରଙ୍କ ନାମ ମଧ୍ୟ ତାଲିକାରୁ ବାଦ୍‍ କଟିଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ