ଦୁଇଟି ହାଇୱା ଜବତ ଘଟଣା: ଦୁଇ ମାମଲା ରୁଜୁ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ ବେଆଇନ ବାଲି ପରିବହନ ପାଇଁ ଏବେ ବାହାର ଜିଲ୍ଲାର ଟ୍ରାଞ୍ଜିଟ୍ ପାସ୍ (ଟିପି) ବ୍ୟବହାର କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ସରକାରୀ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ଉଦ୍ଦେଶ୍ୟରେ ଏଭଳି ପାସ୍ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ନନ୍ଦିପଦା ଥାନା ପୁଲିସ ଦୁଇଟି ମାମଲା ରୁଜୁ କରିଛି। ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୦ ତାରିଖ ବିଳମ୍ବିତ ରାତିରେ ନନ୍ଦିପଦା ପୁଲିସ ଓ ଖଣି ବିଭାଗର ମିଳିତ ଚଢ଼ାଉ ସମୟରେ ଅଣା ରାସ୍ତାରୁ ଦୁଇଟି ବାଲି ବୋଝେଇ ହାଇୱା ଜବତ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ି ଦୁଇଟିର ଚାଳକ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଜାମୁପଶି ଗ୍ରାମର ହାରାଧନ ଲୋହାର ଏବଂ ଭଦ୍ରକ ଜିଲ୍ଲା ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଗବସାହିର ମନୋଜ ପାତ୍ରଙ୍କ ନିକଟରୁ ଦୁଇଟି ଟ୍ରାଞ୍ଜିଟ୍ ପାସ୍ ଜବତ ହୋଇଥିଲା। ଉକ୍ତ ଟିପିରୁ ଗୋଟିଏ ତାଳଚେରର ଜାମୁଝର ବାଲିଘାଟ ଏବଂ ଅନ୍ୟଟି କଟକ ମାଇନିଂ ସର୍କଲ ଅଧୀନ ପରିମଳ ବାଲିଘାଟ ନାମରେ ଥିବା ଜଣାପଡ଼ିଥିଲା। ଏହାର ସତ୍ୟତା ଯାଞ୍ଚ ପାଇଁ ଖଣି ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯିବା ପରେ ଟ୍ରାଞ୍ଜିଟ୍ ପାସ୍ ଦୁଇଟିରେ ଅସଙ୍ଗତି ଥିବା ଜଣାପଡ଼ିଥିଲା। ଏନେଇ କେନ୍ଦୁଝରର କନିଷ୍ଠ ଖଣି ଅଧିକାରୀ ବାପି ସାହୁ ଓ ଦିବ୍ୟରଞ୍ଜନ ସ୍ୱାଇଁ ନନ୍ଦିପଦା ଥାନାରେ ପୃଥକ୍ ପୃଥକ୍ ଭାବେ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ ୪୨୭ ଓ ୪୨୮/୨୦୨୬ ନମ୍ବରରେ ଦୁଇଟି ମାମଲା ପଞ୍ଜିକରଣ କରିଛି। ବାହାର ଜିଲ୍ଲାର ଟ୍ରାଞ୍ଜିଟ୍ ପାସ୍ର ପ୍ରକୃତ ଉତ୍ସ ଓ ଏହାର ବ୍ୟବହାର ପଛରେ ଥିବା ଘଟଣାକ୍ରମ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତି ସୂଚନା ଦେଇଛନ୍ତି। ଗତ ବର୍ଷ ମଧ୍ୟ ବାହାର ଜିଲ୍ଲାର ଟିପିକୁ ନେଇ ନାନା ଅଭିଯୋଗ ଉଠିଥିଲା। ହାଟଡିହି ଅଞ୍ଚଳର ବୈତରଣୀ ନଦୀରୁ ବାଲି ଉଠୁଥିବା ବେଳେ ବାହାର ଜିଲ୍ଲାର ଟିପି କିପରି ବ୍ୟବହାର ହେଉଛି, କେନ୍ଦୁଝର ଖଣି ବିଭାଗ ଏହି ବାଲିଘାଟ ଗୁଡିକୁ ଟିପି ଦେଇ ନାହାନ୍ତି କି। ବାଲି ଯିବ କେନ୍ଦୁଝରରୁ ରାଜସ୍ବ ଯିବ ଅନ୍ୟ ଜିଲ୍ଲାକୁ ଏହା କିପରି ସମ୍ଭବ ହେଉଛି। ଏନେଇ ବିଭାଗୀୟ ଅଧିକାରୀ କାହିଁକି ନିରବଦ୍ରଷ୍ଟା ସାଜିଛନ୍ତି ଏପରି ନାନା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।


