ପଥର ଖାଦାନର ବେଆଇନ ବ୍ଲାଷ୍ଟିଂକୁ ନେଇ ଆତଙ୍କ: ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କରଞ୍ଜିଆ, (ଜିତେନ୍ଦ୍ର ରାଜ): କରଞ୍ଜିଆ ବ୍ଲକ ଅନ୍ତର୍ଗତ ଝାଡ଼ଡୁମୁରିଆ ଗ୍ରାମରେ ଅବସ୍ଥିତ ଝାଡ଼ଡୁମୁରିଆ ପଥର ଖାଦାନ–୨ରେ ଚାଲିଥିବା ବ୍ଲାଷ୍ଟିଂ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଅସନ୍ତୋଷ ବଢ଼ିଛି। ଲିଜଧାରୀ ସଂସ୍ଥା ସରକାରୀ ନିୟମକୁ ଉଲ୍ଲଂଘନ କରି ଅଧିକ କ୍ଷମତା ବିଶିଷ୍ଟ ବ୍ଲାଷ୍ଟିଂ କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହାର ପ୍ରଭାବରେ ନିକଟସ୍ଥ ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଖାଦାନରେ ପ୍ରାୟ ଦୁଇଶହରୁ ଅଧିକ ଗର୍ତ୍ତରେ ବିସ୍ଫୋରକ ଭରି ରଖାଯାଇଥିବା ଦୃଶ୍ୟ ଗ୍ରାମବାସୀଙ୍କ ଆତଙ୍କକୁ ଆହୁରି ବଢ଼ାଇଛି। ଖାଦାନଟି ଗ୍ରାମର ପିଚୁ ରାସ୍ତା କଡ଼ରେ ଏବଂ ବହୁ ଘରବାଡ଼ି ନିକଟରେ ଥିବାରୁ ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ଘଟିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। କାହଁକି ଓ କିଭଳି ଅତ୍ୟନ୍ତ ଅସୁରକ୍ଷିତ ଭାବେ ଉକ୍ତ ଖାଦାନ ରେ କୌଣସି ସୁରକ୍ଷା ଓ କୌଣସି ସତର୍କ ସୂଚନା ବିନା ଗତ ସାତଦିନରୁ ଉର୍ଦ୍ଧ ସମୟ ଧରି ଏତେ ପରିମାଣ ରେ ବିସ୍ପୋରକ କୁ ବିସ୍ପୋରଣ ନିମନ୍ତେ ପ୍ରସ୍ତୁତ କରି ତାର ଲଗାଇ ଛାଡିଦିଆଯାଇ ଜନସାଧାରଣ ଓ ଧନ ଜୀବନ କୁ ବିପଦ ରେ ପକାଇବାକୁ କିଏ ଲିଜ ଧାରକ ଙ୍କୁ ସାହସ ଦେଲା ତାହା ଏବେ ବଡ଼ ପ୍ରଶ୍ନ ଭାବେ ଜନସାଧାରଣ ଙ୍କ ମନରେ ଉଙ୍କି ମାରୁଛି ଏପରି ପରିସ୍ଥିତିରେ କୌଣସି ଧନଜୀବନ ହାନି ଘଟିଲେ ତାହାର ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ସେମାନେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ତୁରନ୍ତ ସୁରକ୍ଷାମୂଳକ ପଦକ୍ଷେପ ଏବଂ ସମ୍ପୃକ୍ତ ସଂସ୍ଥାର ଲିଜ ବାତିଲ କରିବାକୁ ଦାବି କରିଛନ୍ତି। ଏହାସହ ଉକ୍ତ ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ସ୍ଥାନୀୟ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖଣି ବିଭାଗର କନିଷ୍ଠ ଖଣିଜ ଅଧିକାରୀ ଚାମରୁ ମାଝୀଙ୍କ ସୂଚନା ଅନୁଯାୟୀ, ଉକ୍ତ ଖାଦାନକୁ ୨୦୨୨ରୁ ୨୦୨୭ ପର୍ଯ୍ୟନ୍ତ ଲିଜ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ କେବଳ ଅଳ୍ପ କ୍ଷମତା ବିଶିଷ୍ଟ ‘ମଫଲ ବ୍ଲାଷ୍ଟିଂ’ ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ ସର୍ତ୍ତରେ ଅନୁମତି ଦିଆଯାଇଥିଲେ ମଧ୍ୟ, ସେହି ନିୟମ ମାନାଯାଉନଥିବା କଥା ସେ ସ୍ୱୀକାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ବ୍ଲାଷ୍ଟିଂ ସମୟରେ ସୁରକ୍ଷା ପାଇଁ ତାରଜାଲ ବ୍ୟବହାର କରାଯାଉନଥିବାରୁ ପଥର ଖଣ୍ଡ ଦୂରଦୂରାନ୍ତକୁ ଛିଟିକି ପଡ଼ୁଛି। ଏହାସହ ଅଳ୍ପ କ୍ଷମତାର ବ୍ଲାଷ୍ଟିଂ କରି ଯନ୍ତ୍ର ସାହାଯ୍ୟରେ ପଥର ଉତ୍ତୋଳନ କରିବାର ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ପାଳନ କରାଯାଉନଥିବାରୁ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ବଢ଼ିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ସମସ୍ୟା ନେଇ ବାରମ୍ବାର ପ୍ରଶାସନଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ପ୍ରଶାସନର ଭୂମିକାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ସନ୍ଦେହ ବଢ଼ିଛି। ତୁରନ୍ତ ଉକ୍ତ ସ୍ଥାନରୁ ବିଛାଯାଇ ଥିବା ବାରୂଦ ଗୁଡିକ ସୁରକ୍ଷିତ ଭାବେ ହଟାଯିବା ଦିଗରେ ପ୍ରଶାସନ ପଦକ୍ଷେପ କରିବା ସହିତ ଉକ୍ତ ପଥର ଖାଦାନ ନିଲାମ ଧାରକଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅଞ୍ଚଳ ପ୍ରତି ରହିଥିବା ବିପଦ ରୁ ଅଞ୍ଚଳ ବାସୀଙ୍କୁ ରକ୍ଷା କରିବାକୁ ଜନସାଧାରଣ ତଥା ପରିବେଶ ପ୍ରେମୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ