ମହେନ୍ଦ୍ରଗିରିରେ ପର୍ଶୁରାମ ଜୟନ୍ତୀ
ପାରଳାଖେମୁଣ୍ଡି, 20/4(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ରାୟଗଡା ବ୍ଲକରେ ଥିବା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରତନୟା ନଦୀର ଉତ୍ପତ୍ତି ସ୍ଥଳ ମହେନ୍ଦ୍ରଗିରି ପର୍ବତ ଶିଖରରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ପାଳିତ ହୋଇଛି। ତ୍ରେତେୟା ଯୁଗରୁ ଭଗବାନ ପର୍ଶୁରାମ ସେଠାରେ ତପସ୍ୟା କରୁଥିବା ଉଲ୍ଲେଖ ରହିଛି. ବିଗତ ୩୮ ବର୍ଷ ଧରି ମହେନ୍ଦ୍ରଗିରି ଠାରେ ଥିବା ମହେନ୍ଦ୍ରଆଶ୍ରମ ପକ୍ଷରୁ ପର୍ଶୁରାମ ଜୟନ୍ତୀ ପାଳନ କରାଯାଉଛି। ରବିବାର ପ୍ରତ୍ୟୁଷରୁ ମହେନ୍ଦ୍ରଗିରି ଶିଖରରେ ଥିବା ପର୍ଶୁରାମ ବଟ, ପର୍ଶୁରାମ ପୀଠ ଏବଂ କୁନ୍ତୀ ମନ୍ଦିର ଆଦି ତିନୋଟି ସ୍ଥାନରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।ସ୍ଥାନୀୟ ପୂଜକ ଓ ଶ୍ରଦ୍ଧାଳୁଙ୍କ ଦ୍ବାରା ହୋମ-ଯଜ୍ଞ ଓ ବେଦ ପାଠ କରାଯାଇ ବିଶ୍ୱଶାନ୍ତି କାମନା କରାଯାଇଥିଲା I ଭଗବାନ ପର୍ଶୁରାମଙ୍କ ବିଗ୍ରହକୁ ସୁଗନ୍ଧିତ ପୁଷ୍ପ ଓ ନୂତନ ବସ୍ତ୍ରରେ ସଜ୍ଜିତ କରାଯାଇଥିଲା I କଲିକତାରୁ ସ୍ବାମୀ ସଦାନନ୍ଦ ବ୍ରହ୍ମପୁରରୁ ବ୍ରହ୍ମାନନ୍ଦ, ବାବା ଅଜୟ ଦାସ, ବାବା ଉଦ୍ଧବ ଦାସ, ପ୍ରଫୁଲ ବାବା, ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ପ୍ରଶାନ୍ତ କରଙ୍କ ସମେତ ରୁଷିପୁତ୍ର ଓ ରୁଷିକନ୍ୟା ଉପସ୍ଥିତ ଥିଲେ | ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ସାଧୁ ସନ୍ଥ ଓ ଭକ୍ତ ଯୋଗ ଦେଇଥିଲେ | ମହେନ୍ଦ୍ରଆଶ୍ରମର ପ୍ରତିଷ୍ଠାତା ପୂଜ୍ୟ ସ୍ବାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


