ଶ୍ରୀବାଣୀ କ୍ଷେତ୍ରରୁ ଆସିଲା ପାଟ ଓ ରାକ୍ଷୀ, ଆଠଗଡ଼ ପାଟଣାରେ ଭବ୍ୟ ସ୍ୱାଗତ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଭୁବନେଶ୍ୱର ପଟିଆ ସ୍ଥିତ କିଟ୍ ପରିସରରେ ଥିବା ଶ୍ରୀବାଣୀ କ୍ଷେତ୍ରରୁ ଆଠଗଡ଼ ପାଟଣା ଜଗନ୍ନାଥ ମନ୍ଦିରକୁ ମହାପ୍ରଭୁଙ୍କ ପାଇଁ ପାଟ ଓ ପବିତ୍ର ରାକ୍ଷୀ ଆସିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି । ଗ୍ରାମର ମୁଖ୍ୟ ଛକ ନିକଟରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସ୍ଥାନୀୟ କଳିଙ୍ଗ ଟିଭି ପ୍ରତିନିଧି ଡି. ଜ୍ୟୋତିରଞ୍ଜନ ଆଚାରୀ ଓ କିସ୍ ସଂଯୋଜକ ପିଣ୍ଟୁ ପ୍ରଧାନ, ସ୍ଥାନୀୟ ସମାଜସେବୀ ଘନଶ୍ୟାମ ପାତ୍ରଙ୍କୁ ସ୍ୱାଗତ କରିଥିଲେ । ଶ୍ରୀବାଣୀ କ୍ଷେତ୍ରରୁ ଆସିଥିବା ପାଟ ଓ ରାକ୍ଷୀକୁ ବନ୍ଦାପନା କରାଯିବା ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଏହାକୁ ଆଠଗଡ଼ ପାଟଣା ଜଗନ୍ନାଥ ମନ୍ଦିରକୁ ନିଆଯାଇଥିଲା । ମନ୍ଦିର ପୂଜକ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା, ସୁଦର୍ଶନ ଓ ମଦନମୋହନଙ୍କ ପାଇଁ ଆସିଥିବା ପାଟ ଓ ରାକ୍ଷୀକୁ ଗ୍ରହଣ କରି ବିଧିବଦ୍ଧ ଭାବେ ଗ୍ରହଣ କରିଥିଲେ । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏହି ପାଟ ଓ ରାକ୍ଷୀ ଠାକୁରଙ୍କ ନିକଟରେ ଲାଗି କରାଯିବ । ଶ୍ରୀବାଣୀ କ୍ଷେତ୍ରରୁ ଆଠଗଡ଼ ପାଟଣା ଜଗନ୍ନାଥ ମନ୍ଦିରକୁ ପବିତ୍ର ପାଟ ଓ ରାକ୍ଷୀ ପ୍ରଦାନ କରାଯାଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ଉଦ୍ୟମ ପାଇଁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆଠଗଡ଼ ପାଟଣା ଜଗନ୍ନାଥ ମନ୍ଦିର କମିଟି ସଭ୍ୟ ସୁଭାଷ ପ୍ରଧାନ, ଧରଣୀଧର ବେହେରା, ନବଘନ ଗୌଡ଼, ସନ୍ୟାସୀ ଦିଗଳ, ନାରାୟଣ ମାହାଙ୍କୁଡ, ରତନ ବେହେରା, ଆଦିତ୍ୟ ଗୌଡ଼ଙ୍କ ସମେତ ମନ୍ଦିର ପୂଜକ ସମେତ ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l


