ବୁଲା କୁକୁର ଓ ଗାଈଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ):  କେନ୍ଦୁଝର ସହରର ରାଜରାସ୍ତାରେ ଗୃହପାଳିତ ଗାଈ, ବଳଦଙ୍କ ରାସ୍ତା ଅବରୋଧ ସାଙ୍ଗକୁ ବୁଲା କୁକୁରଙ୍କ ଉପଦ୍ରବ ଯୋଗୁଁ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ପ୍ରାୟ ପ୍ରତ୍ୟେକ ରାସ୍ତାରେ ଏହି ଗୋରୁଗାଈଙ୍କ ଚଳପ୍ରଚଳ ଖୋଦ କେନ୍ଦୁଝର ଜିଲା ସଦର ମହକୁମାରେ ହେଉଥିବାବେଳେ ଏହାକୁ ନେଇ ଲୋକେ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି, ଅନ୍ୟପଟେ ବୁଲା କୁକୁରଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବରେ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ସାଧାରଣ ଲୋକେ ବିଶେଷ କରି ପଥଚାରୀମାନେ ହଇରାଣରେ ପଡୁଛନ୍ତି । ବୁଲା କୁକୁରଗୁଡିକ ରାସ୍ତା ମଝିରେ,ଗୁରୁତ୍ୱପୂର୍ଣ୍ଣ ଛକମାନଙ୍କରେ,ସ୍କୁଲ କଲେଜ ସମ୍ମୁଖରେ ମାଳ ମାଳ ବୁଲୁଥିବାରୁ ଅନେକ ସମୟରେ ବାଇକ୍ ଆରୋହୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ କୁକୁରମାନେ ଛୋଟ ଛୋଟ ପିଲା ଏବଂ ମହିଳାମାନଙ୍କୁ ଆକ୍ରମଣ କରୁଥିବା ନଜିର ରହିଛି । ବୁଲା କୁକୁରଙ୍କ ପ୍ରାଦୁର୍ଭାବରେ ଲୋକେ ଅତିଷ୍ଠ ହୋଇ ପଡୁଥିବାବେଳେ ପ୍ରଶାସନ ମଧ୍ୟ ଏହି ସମ୍ବେଦନଶୀଳ ପ୍ରସଙ୍ଗରୁ ଦୂରେଇ ଯାଉଥିବା ଲକ୍ଷ୍ୟ କରାଯାଉଛି । ଗତ ଦଶବର୍ଷ ତଳେ ବୁଲା କୁକୁରମାନଙ୍କୁ ପୌରପାଳିକା ପକ୍ଷରୁ ବିଷାକ୍ତ ଖାଦ୍ୟ ଦେଇ ମାରି ଦିଆଯାଉଥିବାବେଳେ ପଶୁମାରଣ ଆଇନକୁ କଟକଣା କରାଯିବା ପରେ କୁକୁରମାନଙ୍କୁ ଏବେ ବିଷାକ୍ତ ଖାଦ୍ୟ ଦେଇ ମାରିବା ବେଆଇନ ହୋଇପଡିଛି । ତେବେ ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ କରାଯିବା କଥା । ବନ୍ଧ୍ୟାକରଣ କରାଗଲେ ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ ପାଇପାରନ୍ତା । କିନ୍ତୁ ବନ୍ଧ୍ୟାକରଣ ବ୍ୟବସ୍ଥା ହେଉନାହିଁ ବା କୁକୁରମାନଙ୍କୁ କାବୁ କରି ଅନ୍ୟତ୍ର ଛାଡିବାର ବ୍ୟବସ୍ଥା ହେଉନଥିବାରୁ ସହରରେ ଏବେ ମାଳ ମାଳ ବୁଲା କୁକୁର ଦେଖିବାକୁ ମିଳୁଛନ୍ତି । ସହରର ବିଭିନ୍ନ ଛକ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଏହି ବୁଲା କୁକୁରମାନେ ରାତି କିମ୍ବା ଭୋର ସମୟରେ ବସଷ୍ଟାଣ୍ଡ,ମେଡିକାଲ,ବଜାର କିମ୍ବା ଅନ୍ୟାନ୍ୟ କୌଣସି କାମରୁ ଘରକୁ ଫେରିବା ସମୟରେ କୁକୁରମାନଙ୍କ ମିଳିତ ଆକ୍ରମଣର ଶିକାର ହେଉଛନ୍ତି । ସେହିପରି ଗୋ ସେବା ଆଇନ ବଳରେ ପୂର୍ବପରି ଆଉ ଗାଈ, ବଳଦମାନଙ୍କୁ କାଞ୍ଜିଆରେ ରଖାଯାଇପାରୁ ନଥିବାବେଳେ ଏହି ଗୃହପାଳିତ ପଶୁମାନଙ୍କର ମାଲିକମାନେ ମଧ୍ୟ ଗାଈଗୋରୁମାନଙ୍କୁ ନେଇ ନିଜ ଗୁହାଳରେ ରଖୁ ନାହାନ୍ତି । ଥରେ ଦୁଇଥର ବୁଲା ଗାଈମାନଙ୍କୁ ଆଣି ସର୍ବସାଧାରଣରେ ନିଲାମ କରାଗଲେ ପରିସ୍ଥିତି କିଛି ପରିମାଣରେ ସୁଧୁରିବା ସହିତ ଗାଈ ରଖି କେବଳ କ୍ଷୀର ଖାଇ ବାହାରେ ଛାଡୁଥିବା ମାଲିକ ମାନେ ମଧ୍ୟ ସଠିକ ରାସ୍ତାକୁ ଆସିପାରନ୍ତେ । ପୌର ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସହରବାସୀ ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ