ବାଲେଶ୍ୱର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅକଭାନ’ପରିସ୍ଥିତି ଓ ପ୍ରଶାସନିକ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):  ସମ୍ଭାବ୍ୟ ବାତ୍ୟା ‘ଅକଭାନ’ (AKVAN) ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସଦ୍ୟତମ ପରିସ୍ଥିତି ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୌଣସି ବ୍ଲକ କିମ୍ବା ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇନାହିଁ, ତେବେ ଆଗାମୀ ସମୟରେ ୩୨୯ଟି ଗ୍ରାମ ପଞ୍ଚାୟତ ଏବଂ ପ୍ରାୟ ୨,୮୭,୭୧୧ ଜନସାଧାରଣ ପ୍ରଭାବିତ ହେବାର ସମ୍ଭାବନା ରହିଛି।   ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାରେ ୧ଟି ଓଡ୍ରାଫ୍ (ODRAF) ଟିମ୍, ୧ଟି ଏନଡିଆରଏଫ୍ (NDRF) ଟିମ୍, ୧୨ଟି ଅଗ୍ନିଶମ ବାହିନୀ, ୧୨ଟି ପ୍ରାଣୀ ଚିକିତ୍ସା ଦଳ ଏବଂ ୧୨ଟି ଜଳସେଚନ ଦଳ ମୁତୟନ କରାଯାଇଛି। ଜିଲ୍ଲା ଓ ବ୍ଲକ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବା ସହ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।   ଆଜି ଅପରାହ୍ନ ୨:୦୦ ଘଟିକା ସୁଦ୍ଧା ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜଳକା ନଦୀର ଜଳସ୍ତର ୩.୪୦ ମିଟର, ବୁଢ଼ାବଳଙ୍ଗ ନଦୀର ୧.୩୦ ମିଟର ଏବଂ ସୁବର୍ଣ୍ଣରେଖା ନଦୀର ଜଳସ୍ତର ୪.୨୯ ମିଟର ରହିଛି।   ଲୋକଙ୍କ ସୁରକ୍ଷିତ ଆଶ୍ରୟ ପାଇଁ ଜିଲ୍ଲାରେ ୧,୨୪୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ଓ ୨୯୭ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି ଏବଂ ସମସ୍ତ ବ୍ଲକରେ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ମହଜୁଦ ଅଛି। ଚିହ୍ନଟ ହୋଇଥିବା ୧,୭୧୭ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୨୭୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।   ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ତଳିଆ ଓ ଅସୁରକ୍ଷିତ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବା ସହ ପ୍ରଶାସନିକ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ