ବିନା ଘୋଷଣାରେ ଦିନ ସାରା ବିଦ୍ୟୁତ କାଟ: ପ୍ରବଳ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗ୍ରୀଷ୍ମ ଋତୁ ରେ ଲୋକଙ୍କ ପାଇଁ ଅଧିକ ଯନ୍ତ୍ରଣା ଦାୟକ ହୋଇଥାଏ ବିଦୁତ୍ କାଟ I ପୁଣି ବିନା କୌଣସି ପୂର୍ବ ସୂଚନାରେ ବିଦ୍ୟୁତ୍ କାଟ ହେଲେ ଲୋକଙ୍କ ଯନ୍ତ୍ରଣା ଅଧିକ ବଢ଼ି ଯାଇଥାଏ I ବର୍ତ୍ତମାନ କିଛି ଦିନ ହେବ ଦିନବେଳା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି। ଏହିଭଳି ସମୟରେ ବେଲଗୁଣ୍ଠା ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ୍ ଦେଖିବାକୁ ମିଳିଛି I ଏହି ଅଘୋଷିତ ବିଦ୍ୟୁତ୍ କାଟ ବୁଧବାର ଦିନ ସବୁ ସୀମା ଡେଇଁ ଯାଇଛି। ବୁଧବାର ଦିନ ଦିନସାରା ବିଦ୍ୟୂତର ଲୁଚକାଳି ଖେଳ ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ବେଲଗୁଣ୍ଠା ବିଦ୍ୟୁତ୍ ସବଡିଭିଜନରେ ଡିମିରିପଲ୍ଲୀ ଠାରୁ ପଞ୍ଚଭୂତି ପର୍ଯ୍ୟନ୍ତ ପ୍ରାୟ ଚାଳିଶ ହଜାର ବିଦ୍ୟୁତ୍ ଉପଭୋକ୍ତା ରହିଛନ୍ତି I ସେମାନେ ବେଲାଗୁଣ୍ଠା ବିଦ୍ୟୁତ୍ ବିଭାଗ ଉପରେ ନିର୍ଭର କରନ୍ତି। କିନ୍ତୁ ବେଳଗୁଣ୍ଠା ବିଦ୍ୟୁତ୍ କାର୍ଯ୍ୟାଳୟର ମନୋମୁଖୀ କାର୍ଯ୍ୟକଳାପରେ ଏହି ବିଦ୍ୟୁତ୍ ଗ୍ରାହକ ମାନେ ଅତିଷ୍ଠ ହୋଇପାରିଛନ୍ତି I ସରକାରଙ୍କ ମାର୍ଗଦର୍ଶିକା ପ୍ରକାରେ ବିଦ୍ୟୁତ୍ ବିଭାଗର କୌଣସି ମରାମତି କାର୍ଯ୍ୟ ପାଇଁ ପୂର୍ବରୁ ଡ଼ାକବାଜି ଯନ୍ତ୍ର ଏବଂ ମୋବାଇଲ୍ ବାର୍ତ୍ତା ମଧ୍ୟରେ ଉପଭୋକ୍ତା ମାନଙ୍କୁ ଏକ ନିର୍ଦ୍ଧାରିତ ସମୟ ପାଇଁ ବିଦ୍ୟୁତ୍ କାଟ କରାଯିବା ଉଚିତ୍। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛି ବେଲଗୁଣ୍ଠା ବିଦ୍ୟୁତ୍ କାର୍ଯ୍ୟାଳୟ। କୌଣସି ପୂର୍ବ ସୂଚନା ବିନା ବେଲଗୁଣ୍ଠା ଅଞ୍ଚଳରେ ବୁଧବାର ଦିନ ଏଗାରଟାରେ ବିଦ୍ୟୁତ୍ କାଟ ହେବା ପରେ ଏହା ଦିନ ସାରା ଲୁଚକାଳି ଖେଳ ଖେଳିଥିଲା। ଦିନ ସାରା ଲୋକେ ପ୍ରବଳ ଗୁଳୁଗୁଳିରେ ଛଟପଟ ହୋଇଥିଲେ। ବିଶେଷକରି ଛୋଟପିଲା ଏବଂ ବୟସ୍କ ନାଗରିକ ମାନଙ୍କ କଷ୍ଟ ଅସହ୍ୟ ଥିଲା, ଏହିଭଳି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି। ସୂଚନା ପ୍ରକାର ଆଜି ସନ୍ଧ୍ୟା ଛଅ ଘଣ୍ଟା ୧୬ ମିନିଟ୍ ସମୟରେ ବିଦ୍ୟୁତ୍ ପ୍ରବାହ ସ୍ଵାଭାବିକ ହୋଇଥିଲା।


