କେନ୍ଦ୍ରାପଡା ଶତବାର୍ଷିକୀ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ତଥା ଐତିହାସିକ କେନ୍ଦ୍ରାପଡ଼ା ମା’ ଗଜଲକ୍ଷ୍ମୀ ପୂଜାର ୧୦୦ତମ ବର୍ଷ ପୂର୍ତ୍ତି ବା ଶତବାର୍ଷିକୀ ଉପଲକ୍ଷେ ରାଜ୍ୟ ସରକାର ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଉତ୍ସବର ଭବ୍ୟତା ଓ ଐତିହାସିକ ଗୁରୁତ୍ୱକୁ ବିଚାର କରି ପୂଜା ସମୟରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲାଉଡସ୍ପିକର ଓ ସାଉଣ୍ଡ ବକ୍ସ ବଜାଇବା ପାଇଁ ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ଅନୁମତି ପ୍ରଦାନ କରିଛି। ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ସମଗ୍ର କେନ୍ଦ୍ରାପଡ଼ା ସହର ସମେତ ପୂଜା କମିଟିଗୁଡ଼ିକ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୫ ତାରିଖରୁ ନଭେମ୍ବର ୨ ତାରିଖ, ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତି ୧୦:୦୦ରୁ ମଧ୍ୟରାତ୍ରି ୧୨:୦୦ ଯାଏଁ ଲାଉଡସ୍ପିକର ବ୍ୟବହାର ଲାଗି ସ୍ୱତନ୍ତ୍ର ରିହାତି ମିଳିଛି। ସାଧାରଣତଃ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ରାତି ୧୦ଟା ପରେ ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବଜାଇବା ଉପରେ କଟକଣା ରହିଥାଏ। ମାତ୍ର କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାର ଏହି ଶହେ ବର୍ଷର ଐତିହ୍ୟ, ସାଂସ୍କୃତିକ ଭାବନା ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆବେଗକୁ ସମ୍ମାନ ଜଣାଇ ସରକାର ଏହି ବ୍ୟତିକ୍ରମ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ପୂର୍ବରୁ ଗୃହ ବିଭାଗ ନିକଟରେ ଦାବି ଉପସ୍ଥାପନ କରି ପତ୍ର ଲେଖିଥିଲେ। ତତ୍‌ସହିତ ଏହି ମହୋତ୍ସବର ଧାର୍ମିକ, ସାଂସ୍କୃତିକ ଓ ପର୍ଯ୍ୟଟନ ମହତ୍ତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ମଧ୍ୟ ସରକାରଙ୍କୁ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପଠାଯାଇଥିଲା। ଏହି ସୁପାରିସକୁ ଅନୁଧ୍ୟାନ କରିବା ପରେ ଗୃହ ବିଭାଗ ପକ୍ଷରୁ ସବୁଜ ସଙ୍କେତ ପ୍ରଦାନ କରାଯାଇଛି। ଜିଲ୍ଲାପାଳଙ୍କୁ ଲିଖିତ ପତ୍ରରେ ଗୃହ ବିଭାଗର ଯୁଗ୍ମ ସଚିବ ମୀନାକ୍ଷୀ ବେହେରା ଦର୍ଶାଇଛନ୍ତି ଯେ, ଜନସାଧାରଣଙ୍କ ଭାବପ୍ରବଣତାକୁ ଗୁରୁତ୍ୱ ଦେଇ ଏହାକୁ ଏକ “ସ୍ୱତନ୍ତ୍ର ପଦକ୍ଷେପ’ ଭାବେ ଅନୁମୋଦନ କରାଯାଇଛି। ତେବେ ଏହି ଛାଡ଼ ସମ୍ପୂର୍ଣ୍ଣ ସର୍ତ୍ତମୂଳକ। ଏହି ନିଷ୍ପତ୍ତି “ଦି ଓଡ଼ିଶା ଫାୟାରୱାର୍କସ ଆଣ୍ଡ ଲାଉଡସ୍ପିକର୍ସ (ରେଗୁଲେସନ) ଆକ୍ଟ, ୧୯୫୮’ ଏବଂ ଶବ୍ଦ ପ୍ରଦୂଷଣ ନିୟମାବଳୀର ପରିସରଭୁକ୍ତ ହେବ। କୌଣସି ପରିସ୍ଥିତିରେ ବି ଧାର୍ଯ୍ୟ ଡେସିବେଲ୍ ସୀମା ଉଲ୍ଲଂଘନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସରକାର କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପୂଜା ସମୟରେ ଏବଂ ବିଶେଷ ଭାବରେ ନଭେମ୍ବର ୧ ଓ ୨ ତାରିଖରେ ହେବାକୁ ଥିବା ଭସାଣି ଶୋଭାଯାତ୍ରାରେ ବିରାଟ ଜନସମାଗମ ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନକୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ସହରର ଗଳିକନ୍ଦିରେ ସୁରକ୍ଷା, ସୁବ୍ୟବସ୍ଥିତ ଟ୍ରାଫିକ ପରିଚାଳନା, ସିସିଟିଭି ନଜରଦାରି ଏବଂ ଶବ୍ଦ ମାନକର ନିୟମିତ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।କେନ୍ଦ୍ରାପଡ଼ାରେ ଚଳିତ ବର୍ଷ ଶତାଧିକ ମଣ୍ଡପରେ ମା’ ଧନଦାତ୍ରୀ ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି। ଶତବାର୍ଷିକୀ ପାଳନ ପାଇଁ ପ୍ରତ୍ୟେକ ପୂଜା କମିଟି ଆକର୍ଷଣୀୟ ଆଲୋକସଜ୍ଜା, ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ଏହି ସ୍ୱତନ୍ତ୍ର ଅନୁମତି ଯୋଗୁଁ ସାଂସ୍କୃତିକ ମଞ୍ଚ ଏବଂ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇପାରିବ ବୋଲି ପୂଜା କମିଟି ଓ କେନ୍ଦ୍ରାପଡ଼ାବାସୀ ଖୁସି ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ