ଲକ୍ଷ୍ମୀପୂଜା ମଉଜକୁ ଧୋଇଦେଲା ବାତ୍ୟା ‘ଅର୍ଣ୍ଣବ’ର ବର୍ଷା

ହାଟଡିହି, (ଓ୍ବାଇଏନଏସ): ଧୁମ୍‌ଧାମରେ ଚାଲିଥିଲା ମା’ ଗଜଲକ୍ଷ୍ମୀଙ୍କ ପୂଜା। ରଙ୍ଗିନ ଆଲୋକମାଳାରେ ଝଲସୁଥିଲା ପୂଜା ମଣ୍ଡପ। ସୁନ୍ଦର ସାଜସଜ୍ଜା ସାଙ୍ଗକୁ ମା’ଙ୍କ ଦର୍ଶନ ପାଇଁ ଜମୁଥିଲା ଶ୍ରଦ୍ଧାଳୁଙ୍କ ଭିଡ଼। ପୂଜା ମଣ୍ଡପଠାରୁ ବଜାର ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳୁଥିଲା। ହେଲେ ହଠାତ୍‌ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଉତ୍ସବର ରଙ୍ଗକୁ ଫିକା କରିଦେଇଛି। ବର୍ଷା ଯୋଗୁଁ ଲକ୍ଷ୍ମୀପୂଜାର ଆନନ୍ଦ ଓ ଉତ୍ସାହ ମାନ୍ଦା ପଡ଼ିଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ କମିଯାଇଛି। ହାଟଡିହି ଓ ଛେନାପଦି ଛକ ବଜାରରେ ମହାଆଡ଼ମ୍ବରରେ ଆଠଦିନ ଧରି ମା’ ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନ କରାଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିଲା। ମା’ଙ୍କ ଦର୍ଶନ ସାଙ୍ଗକୁ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜା ଦେଖିବା, ବଜାରରେ ବୁଲାବୁଲି କରିବା ଓ ପୂଜାର ଆନନ୍ଦ ଉପଭୋଗ କରିବା ପାଇଁ ଲୋକେ ଅପେକ୍ଷା କରି ରହିଥିଲେ। ପୂଜାର ପ୍ରଥମ ତିନିଦିନ ପାଗ ଅନୁକୂଳ ରହିବାରୁ ପୂଜା ମଣ୍ଡପଗୁଡ଼ିକରେ ଭଲ ଜନସମାଗମ ହୋଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର ମଉଜ ଉପଭୋଗ କରିଥିଲେ। ଏଥିସହ ବଜାରରେ ମଧ୍ୟ ଚଳଚଞ୍ଚଳ ପରିବେଶ ଦେଖିବାକୁ ମିଳିଥିଲା। ପୂଜାକୁ ନେଇ ଛୋଟ ବଡ଼ ବ୍ୟବସାୟୀଙ୍କ ମଧ୍ୟରେ ଭଲ ବ୍ୟବସାୟ ହେବାର ଆଶା ରହିଥିଲା। କିନ୍ତୁ ଗତ ଦୁଇଦିନ ଧରି ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଲଗାଣ ବର୍ଷା ଉତ୍ସବର ମାହୋଲକୁ ବିଗାଡ଼ି ଦେଇଛି। ବର୍ଷା ଯୋଗୁଁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ସହ ପୂଜା ମଣ୍ଡପ ଓ ବଜାରରେ ପୂର୍ବଭଳି ଭିଡ଼ ଜମୁନାହିଁ। ପରିବାର ସହ ମା’ଙ୍କ ଦର୍ଶନ କରିବାକୁ ଆସିବାକୁ ଯୋଜନା କରିଥିବା ଅନେକ ଲୋକ ପାଗ ଦେଖି ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅନ୍ୟପକ୍ଷରେ ପୂଜା ଅବସରରେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଥିବା ଦୋକାନୀ ଓ ଉଠା ବ୍ୟବସାୟୀଙ୍କ ଉପରେ ମଧ୍ୟ ବର୍ଷାର ପ୍ରଭାବ ପଡ଼ିଛି। ଲୋକଙ୍କ ଭିଡ଼ କମିଯିବାରୁ ବ୍ୟବସାୟ ମାନ୍ଦା ହେବାର ଆଶଙ୍କା ଦେଖାଦେଇଛି। ପୂଜାକୁ ନେଇ ଯେଉଁ ଉତ୍ସାହ ଓ ଉଦ୍ଦୀପନା ରହିଥିଲା, ଲଗାଣ ବର୍ଷା ତାହାକୁ ଅନେକାଂଶରେ ଫିକା କରିଦେଇଛି। ଆଠଦିନିଆ ପୂଜା ଉତ୍ସବରେ ଆଗାମୀ ଦିନଗୁଡ଼ିକରେ ପାଗ ଅନୁକୂଳ ରହିଲେ ପୁଣିଥରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ସହ ପୂଜା ମଣ୍ଡପ ଓ ବଜାର ଚଳଚଞ୍ଚଳ ହେବ ବୋଲି ଆଶା ରହିଛି। ତେବେ ବାତ୍ୟାଜନିତ ବର୍ଷା ଲକ୍ଷ୍ମୀପୂଜାର ମଉଜକୁ ଯେଉଁଭଳି ଭାବେ ଫିକା କରିଦେଇଛି, ତାହା ଆୟୋଜକ, ବ୍ୟବସାୟୀ ଓ ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ