ଦୁଗ୍ଧ କମ୍ପାନୀର ବର୍ଜ୍ୟବସ୍ତୁ ନିଷ୍କାସନକୁ ନେଇ ତୀବ୍ର ଅସନ୍ତୋଷ
କୋଣାର୍କ (ଓ୍ବାଇଏନଏସ): ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତର ସାରଡ଼ା ଗ୍ରାମ ନିକଟରେ ଥିବା ଏକ ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମିଲ୍କ ମନ୍ତ୍ର (HAP)ରୁ ବାହାରୁଥିବା ବର୍ଜ୍ୟବସ୍ତୁ ଓ ରାସାୟନିକ ମିଶ୍ରିତ ଜଳର ନିଷ୍କାସନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କମ୍ପାନୀ ପକ୍ଷରୁ ଜନବସତି ନିକଟରେ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରକୁ ସଂଯୋଗ କରୁଥିବା କୋଣାର୍କ–ପିପିଲି ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଜମିରେ ଖୋଲାଖୋଲି ଭାବେ ବର୍ଜ୍ୟବସ୍ତୁ ପକାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ବର୍ଜ୍ୟବସ୍ତୁ ଓ ଦୁର୍ଗନ୍ଧଯୁକ୍ତ ଜଳ ଯୋଗୁଁ ଅଞ୍ଚଳର ପରିବେଶ ଦୂଷିତ ହେବା ସହ ଯାତାୟାତ କରୁଥିବା ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାଦ୍ୱାରା ଜନସ୍ୱାସ୍ଥ୍ୟ ଓ ପରିବେଶ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ଅଞ୍ଚଳର କିଛି ଲୋକ ଚର୍ମରୋଗରେ ଆକ୍ରାନ୍ତ ହେଉଥିବା ଏବଂ ଗାଈଗୋରୁ ଦୂଷିତ ଜଳ ପିଇ ମୃତ୍ୟୁବରଣ କରୁଥିବା ନେଇ ମଧ୍ୟ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । କିଛି ବ୍ୟକ୍ତି ଅର୍ଥର ପ୍ରଲୋଭନରେ କମ୍ପାନୀ ସହ ମିଶି ଏଭଳି କାର୍ଯ୍ୟକୁ ସହଯୋଗ କରୁଛନ୍ତି। ଏହାଦ୍ୱାରା ଗ୍ରାମବାସୀଙ୍କ ଜୀବନ, ଜୀବିକା ଓ ପରିବେଶ ପ୍ରଭାବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଗ୍ରାମ ସଭାପତି ସଞ୍ଜୟ ବିଶ୍ୱାଳ, ସମ୍ପାଦକ ରାଜେଶ କୁମାର ଲେଙ୍କା, ମଣ୍ଟୁ କିଶୋର ଜେନା, ଅରୁଣ ରାଉତ, ସୁଶାନ୍ତ କୁମାର ପାତ୍ର, ମାନସ କାଣ୍ଡି, ଅନିଲ ପାତ୍ର ଓ ବିଜୟ ନାୟକଙ୍କ ସମେତ ସାରଡ଼ା ଗ୍ରାମର ଶତାଧିକ ଗ୍ରାମବାସୀ ଓ ଯୁବକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ସମ୍ପୃକ୍ତ ପ୍ରଶାସନ ପକ୍ଷରୁ ତୁରନ୍ତ ତଦନ୍ତ କରିବା, ବର୍ଜ୍ୟବସ୍ତୁର ନମୁନା ପରୀକ୍ଷା କରିବା, ସରକାରୀ ଜମିରେ ବର୍ଜ୍ୟ ନିଷ୍କାସନ ଅଭିଯୋଗର ଯାଞ୍ଚ କରିବା ଏବଂ ଦୋଷୀଙ୍କ ବିରୋଧରେ ଆଇନାନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


