ଛତ୍ରପୁର, (ଓ୍ବାଇଏନଏସ): ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ନିୟମ ଉଲ୍ଲଂଘନକାରୀ ଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହିତ ଏନ୍ଫୋର୍ସମେଣ୍ଟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ଜିଲ୍ଲାରେ ୬୦୩ଟି ସଡ଼କ ଦୁର୍ଘଟଣା ଘଟି ୩୫୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୭୨ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସଂଖ୍ୟା ୨.୧ ପ୍ରତିଶତ କମିଥିଲେ ମଧ୍ୟ ମୃତ୍ୟୁହାର ୧୪.୬୯ ପ୍ରତିଶତ ବୃଦ୍ଧି ହୋଇଥିବା ବୈଠକରେ ଆଲୋଚନା ହୋଇଛି।
ଛତ୍ରପୁରସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ସଚ୍ଚିଦାନନ୍ଦ ନାୟକ, ଗଞ୍ଜାମ ଏସ୍ପି ହରିଶ ବିଶି, ଗଞ୍ଜାମଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ବେହେରା, ଗଞ୍ଜାମ ଆରଟିଓ ଦେବାଶିଷ ସ୍ୱାଇଁ, ଭଞ୍ଜନଗର ଆରଟିଓ ଭାଗିରଥି ନାୟକ , ଛତ୍ରପୁର ଉପଖଣ୍ଡ ଚିକତ୍ସାଳୟ ର ଅଧିକ୍ଷିକ ଡାକ୍ତର ଅଲେଖ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟି ସଦସ୍ୟ ଏବଂ ଘରୋଇ ବସ ର ମାଲିକ ମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଏସ୍ପିଙ୍କ ଅଧୀନରେ ଖଲ୍ଲିକୋଟ ଥାନା ଅଞ୍ଚଳରେ ସର୍ବାଧିକ ୩୩ଟି ଦୁର୍ଘଟଣା ଘଟିଥିବାବେଳେ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବ୍ରହ୍ମପୁର ଏସ୍ପିଙ୍କ ଅଧୀନରେ ବ୍ରହ୍ମପୁର ଟ୍ରାଫିକ ଥାନାରେ ସର୍ବାଧିକ ୫୩ଟି ଦୁର୍ଘଟଣା ଏବଂ ଦିଗପହଣ୍ଡି ଥାନା ଅଞ୍ଚଳରେ ସର୍ବାଧିକ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବୈଠକରେ କୁହାଯାଇଛି ।
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ଚାଲିଥିବା ଏନ୍ଫୋର୍ସମେଣ୍ଟରେ ଚଳିତ ବର୍ଷ ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ମୋଟ ୧୬୭୬ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି। ଏଥିରୁ ଗଞ୍ଜାମ ଆରଟିଓ ପକ୍ଷରୁ ୬୧୧ଟି ଏବଂ ଭଞ୍ଜନଗର ଆରଟିଓ ପକ୍ଷରୁ ୮୫୭ଟି ଲାଇସେନ୍ସ ସସ୍ପେଣ୍ଡ ହୋଇଛି। ପୁଲିସ ସୁପାରିସ ଆଧାରରେ ୧୮୩ଟି ଏବଂ ଅନ୍ୟାନ୍ୟ କାରଣରୁ ୨୫ଟି ଲାଇସେନ୍ସ ସସ୍ପେଣ୍ଡ କରାଯାଇଛି। ଜାନୁଆରୀରେ ୪୦୫, ଫେବ୍ରୁଆରୀରେ ୩୫୬, ମାର୍ଚ୍ଚରେ ୩୧୩, ଏପ୍ରିଲରେ ୧୭୧, ମେ’ରେ ୨୭, ଜୁନ୍ରେ ୧୫୨, ଜୁଲାଇରେ ୧୩୪ ଏବଂ ଅଗଷ୍ଟରେ ୧୦୮ଟି ଲାଇସେନ୍ସ ସସ୍ପେଣ୍ଡ ହୋଇଛି। ଚିହ୍ନଟ ହୋଇଥିବା ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ବାରମ୍ବାର କାହିଁକି ଦୁର୍ଘଟଣା ଘଟୁଛି, ତାହାର କାରଣ ଅନୁଧ୍ୟାନ କରି ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ଇଞ୍ଜିନିୟରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଘଟଣାପ୍ରବଣ ସ୍ଥାନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ କରାଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଥିଲେ। ଜାତୀୟ ରାଜପଥରେ ଜବରଦଖଲ, ବେଆଇନ ପାର୍କିଂ, ଅନଧିକୃତ ଢାବା ଓ ଦୋକାନ ସମେତ ଅସୁରକ୍ଷିତ ରାସ୍ତାକଡ଼ କାର୍ଯ୍ୟକଳାପ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ପୁଲିସ, ଆରଟିଓ ଓ ଏନ୍ଏଚ୍ ବିଭାଗର ଯୁଗ୍ମ ଟିମ୍ ଗଠନ କରି ନିୟମିତ ଯାଞ୍ଚ, ପାଟ୍ରୋଲିଂ ଓ ଏନ୍ଫୋର୍ସମେଣ୍ଟ କରିବା ଉପରେ ଜୋର ଦିଆଯାଇଛି। ଜିଲ୍ଲାସ୍ତରୀୟ ହାଇୱେ ସେଫ୍ଟି ଟାସ୍କ ଫୋର୍ସକୁ ଅଧିକ ସକ୍ରିୟ କରି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ାଇବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କେବଳ ଜାତୀୟ ରାଜପଥ ନୁହେଁ, ଗ୍ରାମାଞ୍ଚଳର ରାସ୍ତାଗୁଡ଼ିକରେ ମଧ୍ୟ ଦୁର୍ଘଟଣା ବଢୁଥିବାରୁ ଏହା ଉପରେ ମଧ୍ୟ ନଜର ଦେବାକୁ ବୈଠକରେ କୁହାଯାଇଥିଲା। ଯେଉଁ ଅଞ୍ଚଳରେ ଅଧିକ ମୃତ୍ୟୁ ଘଟୁଛି, ସେଠାରେ ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଯାଞ୍ଚ କରି ପ୍ରତିକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗାଈଗୋରୁ ରାସ୍ତାରେ ବୁଲୁଥିବା ଯୋଗୁଁ ହେଉଥିବା ଦୁର୍ଘଟଣାକୁ ମଧ୍ୟ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ସେହିପରି ଡୁଡୁମା କଲୋନୀ ବାହାରି ଫା ଷ୍ଟ ଗେଟ ନିକଟରେ ରହି ଟ୍ରାଫିକ ଯାମ କରୁଛନ୍ତି ସେମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି l ହଳଦିଆପଦର ବସଷ୍ଟାଣ୍ଡ ର ବିଭିନ୍ନ ସମସ୍ୟା ନେଇ ଘରୋଇ ବସ ମାଲିକ ମାନେ ବୈଠକ ରେ ଦୃଷ୍ଟି ଆକର୍ଷଣ କରିଥିଲେ l
ଦୁର୍ଘଟଣା ପରେ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଟ୍ରମା କେୟାର ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରୁଥିବା ‘ଗୁଡ୍ ସମାରିଟାନ୍’ ୪ ଜଣ ଙ୍କୁ ପୁରସ୍କାର ରାଶି ଓ ସମ୍ମାନିତ କରିଥିଲେ । ଗଞ୍ଜାମ ଆରଟିଓ ଦେବାଶିଷ ସ୍ୱାଇଁ ପୂର୍ବ ବୈଠକର ନିଷ୍ପତ୍ତି ଓ ତାହାର ଅଗ୍ରଗତି ସମ୍ପର୍କରେ ଅବଗତ କରିବା ସହିତ ଆଜିର ବୈଠକର ବିଭିନ୍ନ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ବୈଠକରେ ଗିରିସୋଲା ଟ୍ରକ୍ ଟର୍ମିନାଲ୍ ସମ୍ପର୍କିତ ବିଷୟ ମଧ୍ୟ ସମୀକ୍ଷା କରାଯାଇଥିଲା। ଓଭରସ୍ପିଡିଂ, ହେଲମେଟ୍ ନ ପିନ୍ଧିବା, ସିଟ୍ବେଲ୍ଟ ବ୍ୟବହାର ନ କରିବା, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର, ମଦ୍ୟପାନ କରି ଗାଡ଼ି ଚାଳନା, ଟ୍ରିପଲ୍ ରାଇଡିଂ, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ଓ ନାବାଳକଙ୍କ ଦ୍ୱାରା ଗାଡ଼ି ଚାଳନା ଭଳି ଉଲ୍ଲଂଘନ ଉପରେ ଅଧିକ କଡ଼ା ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।