ସାଇବର ଠକେଇରେ ଆକାଉଣ୍ଟରୁ ଉଡ଼ିଗଲା ୧ ଲକ୍ଷ ୪୭ ହଜାର

ହାଟଡିହି, (ଓ୍ବାଇଏନଏସ): ଦିନକୁ ଦିନ ସାଇବର ଠକେଇର ନୂଆ ନୂଆ ଉପାୟ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ ହାଟଡିହି ବ୍ଲକ ଅଞ୍ଚଳରେ ଏଭଳି ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ଆରଟିଓ ଚାଲାଣ ଆପ୍ ବୋଲି ଏକ ଲିଙ୍କ ହ୍ୱାଟସଆପ୍‌କୁ ଆସିବା ପରେ ଏହାକୁ ଡାଉନଲୋଡ୍ କରିବା ମାତ୍ରେ ଜଣେ ଯୁବକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୧ ଲକ୍ଷ ୪୭ ହଜାର ୪୯୯ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଧୀନ ଶାଳଣିଆଁ ଗ୍ରାମର ଧରଣୀଧର ବାରିକଙ୍କ ପୁଅ ପ୍ରଦୀପ ବାରିକ (୩୨) ଏହି ସାଇବର ଠକେଇର ଶିକାର ହୋଇଛନ୍ତି। ପ୍ରଦୀପଙ୍କ ହ୍ୱାଟସଆପ୍ ନମ୍ବରକୁ ଏକ ମେସେଜ ଆସିଥିଲା। ଉକ୍ତ ମେସେଜରେ ଆରଟିଓ ବିଭାଗ ସମ୍ପର୍କିତ ଏକ ଆପ୍ ଡାଉନଲୋଡ୍ କରିବା ପାଇଁ ଲିଙ୍କ ରହିଥିଲା। ମେସେଜକୁ ବିଶ୍ୱାସ କରି ପ୍ରଦୀପ ଲିଙ୍କରେ କ୍ଲିକ୍ କରି ଆପ୍‌ଟି ଡାଉନଲୋଡ୍ କରିଥିଲେ। ଅଭିଯୋଗ ଅନୁଯାୟୀ, ଆପ୍ ଡାଉନଲୋଡ୍ କରିବା ପରେ କିଛି ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ଟଙ୍କା କଟିବା ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୨୨ ତାରିଖରେ ପ୍ରଥମେ ୫୦ ହଜାର ଟଙ୍କା ଏବଂ ପରେ ୪୯ ହଜାର ୯୯୯ ଟଙ୍କା କଟିଥିଲା। ଏହାପରେ ସେପ୍ଟେମ୍ବର ୨୩ ତାରିଖରେ ଦୁଇଥର ୧୦ ହଜାର ଟଙ୍କା ଲେଖାଏଁ ଏବଂ ଆଉ ୨୭ ହଜାର ୫୦୦ ଟଙ୍କା ତାଙ୍କ ଆକାଉଣ୍ଟରୁ ଉଠାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଆକାଉଣ୍ଟରୁ ବାରମ୍ବାର ଟଙ୍କା କଟିବା ଜାଣିବା ପରେ ପ୍ରଦୀପ ଆଶ୍ଚର୍ଯ୍ୟ ହେବା ସହ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ। ପରେ ଘଟଣା ସମ୍ପର୍କରେ ସେ ନନ୍ଦିପଦା ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ନନ୍ଦିପଦା ପୁଲିସ ମାମଲା ନମ୍ବର ୩୬୩/୨୦୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଠକେଇରେ ବ୍ୟବହୃତ ଲିଙ୍କ, ଆପ୍ ଏବଂ ଟଙ୍କା କେଉଁ ଆକାଉଣ୍ଟକୁ ଯାଇଛି, ସେ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାପଡ଼ିଛି। ଗତ ଚାରିଦିନ ତଳେ ଜଣେ ଠିକାଦାରଙ୍କ ପାଖକୁ ଏପରି ଏକ ମେସେଜ ଆସିବା ପରେ ସେ ଆରଟିଓ ଅଫିସର କୌଣସି ମେସେଜ ଭାବି ଆପ ଟିକୁ ଖୋଲିବା ପରେ ତାଙ୍କ ମୋବାଇଲରେ ଥିବା ସମସ୍ତ ନମ୍ବରକୁ ମେସେଜ ଯିବା ସହିତ ଅନେକ ଲୋକ ତାଙ୍କୁ ଗାଳି ଗୁଲଜ କରିଥିଲେ। ତେଣୁ ଅପରିଚିତ ବ୍ୟକ୍ତିଙ୍କ ଠାରୁ ହ୍ୱାଟସଆପ୍, ଏସଏମଏସ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆସୁଥିବା ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ସତର୍କ ରହିବା ଆବଶ୍ୟକ। ସାଇବର ଠକେଇରୁ ବର୍ତ୍ତିବା ପାଇଁ ଅଜଣା ଲିଙ୍କ, ଆପ୍ ଏବଂ ମେସେଜ୍ ପ୍ରତି ବିଶେଷ ସାବଧାନତା ଅବଲମ୍ବନ କରିବାକୁ ସଚେତନ ମହଲରେ ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ