ନିଘୋଡ଼ ନିଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ଦେଢ଼ କୋଟିର ରାସ୍ତା କାମ ଅଧା ପନ୍ତରିଆ: ଅଭିଯୋଗ କରି କରି ଥକିଲେଣି ଗ୍ରାମବାସୀ

ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟତିହି ବ୍ଳକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମନୋମୁଖି କାର୍ଯ୍ୟ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତାଘାଟ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ବେଳେ ଅନେକ କାମ ଅଧା ପନ୍ତରିଆ ହୋଇ ପଡି ରହିଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିରାଗୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଗୋଟେ କିଲୋମିଟର ଦୁରରେ ଥିବା ହାଟଡିହି – କପୁଣ୍ଡି ରାସ୍ତା ନିର୍ମାଣ କାର୍ଯ୍ୟରେ । ହାଟଡିହି ହନୁମାନ ମନ୍ଦିର ଠାରୁ କପୁଣ୍ଡି ପର୍ଯ୍ୟନ୍ତ ଯାଇଥିବା ଦେଢ଼ କିଲୋମିଟର ରାସ୍ତା ଉପରେ କପୁଣ୍ଡି ଗ୍ରାମର ଶତାଧିକ ପରିବାର ନିର୍ଭର କରୁଥିବା ବେଳେ ଖାଣ୍ଟପଦା, କୁଣ୍ଡିସାହି ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି। ବିଶେଷକରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟାତ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଏହି ସବୁ ଗ୍ରାମର ଛାତ୍ର ଛାତ୍ରୀ ମାନେ ହାଟଡିହି ହାଇସ୍କୁଲ ଓ  ହାଟଡିହି କଲେଜକୁ  ଯିବାପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଗତ ଦୁଇ ବର୍ଷ ତଳେ ଏହି ରାସ୍ତା ନିର୍ମାଣ ପାଇଁ ସରକାର କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କା ଯୋଗାଇ ଦେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ ଠିକାଦାରଙ୍କ ଦ୍ୱାରା କାମ ଆରମ୍ଭ କରାଯାଇଥିଲା। ଠିକାଦାର ପ୍ରଥମେ ଗାଁ ଭିତର ରାସ୍ତାକୁ ଫେବର ଓ କଙ୍କ୍ରିଟ ରାସ୍ତା କାମ କରିଦେଇ ମୁଖ୍ୟ ରାସ୍ତାରେ ମାଟି ପକାଇ ଓସାରିଆ କରିଦେଲେ। ମାତ୍ର ହଠାତ ଅଧାରୁ କାମ  ବନ୍ଦ କରିଦେବା ଓ ଦେଢ଼ବର୍ଷ ଧରି ଆଉ କାମ କରି ନଥିଲେ। ଫଳରେ ରାସ୍ତାଟି କାଦୁଅ ହୋଇଯିବା ସହ ବର୍ଷାଦିନେ ଯାତାୟତ କ୍ଷେତ୍ରରେ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।  ଛାତ୍ରଛାତ୍ରୀ ମାନେ ୫କିଲୋମିଟର ଦୁର ବୁଲି ବୁଲି ସ୍କୁଲ କଲେଜ ଯାଉଛନ୍ତି।  ଏନେଇ ଗ୍ରାମବାସୀ ମାନେ ବାରମ୍ଵାର ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳୁନଥିବା  କାଳନ୍ଦି ଯେନା, ଦାଶରଥି ଦେବତା, ମାର୍କଣ୍ଡ ଯେନା, ରଘୁନନ୍ଦନ ବେହେରା, ନିରଞ୍ଜନ ଯେନା, ମକରା ଯେନା, ସନାତନ ସେଠି, ଅଜିତ କୁମାର ଯେନା, ପ୍ରଦୀପ ଯେନା, ରତ୍ନାକର ତ୍ରିପାଠୀ, ଏକନ ଯେନା, ଜଗବନ୍ଧୁ ବେହେରା, ପ୍ରଦୀପ ଯେନା, ଅନାମ ଯେନା, ହେମନ୍ତ ଯେନା, ପ୍ରତାପ ଯେନା, ବାବୁଲି ଯେନା, ମାନସ ଯେନା, ଅନାଦି ଯେନା, ଲକ୍ଷ୍ମଣ ଯେନା, କୁନି ଯେନା, ଭଗବାନ ଯେନା ପ୍ରମୁଖ ଅଭିଯୋଗ କରିଛନ୍ତି। ଅତିଶୀଘ୍ର ରାସ୍ତା ନିର୍ମାଣ ନହେଲେ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କ୍ଷୀରୋଦ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ବ୍ୟକ୍ତି ନିଜ ପଟାଭୁକ୍ତ ଜମି ବୋଲି କହି ରାସ୍ତା ଉପରେ ବାଡ଼ ପକାଇ ଥିବାରୁ ଚିହ୍ନଟ ପାଇଁ ତହସିଲକୁ ଚିଠି କରିଛୁ. ଜମି ଚିହ୍ନଟ ହେଲେ ଯାଇ ନିର୍ମାଣ କାର୍ଯ୍ୟ ଚାଲିବ ବୋଲି କହିଛନ୍ତି। କିନ୍ତୁ କେବେ ଜମି ଚିହ୍ନଟ ହେବ ବୋଲି ନିର୍ଦ୍ଦିଷ୍ଟ କରି ନାହାନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ