ଏସଆଇଆର ଉପରେ ବିଏଲଓ ସୁପରଭାଇଜରଙ୍କୁ ତାଲିମ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନିର୍ଭୁଲ, ସ୍ୱଚ୍ଛ ଏବଂ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିକୁ ଲକ୍ଷ୍ୟ ରଖି ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ସ୍ୱତନ୍ତ୍ର ସଂଶୋଧନ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ସୁପରଭାଇଜରମାନଙ୍କୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ସଚେତନ ଓ ପ୍ରଶିକ୍ଷିତ କରାଯାଇଥିଲା।ରାଜନଗର ଓ ପଟ୍ଟାମୁଣ୍ଡାଇରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଆଳି ଓ ରାଜକନିକାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଗରଦପୁରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, କେନ୍ଦ୍ରାପଡ଼ାରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ଏବଂ ମାର୍ଶାଘାଇରେ ବିଡିଓ ଅମୀୟ କୁମାର ସ୍ୱାଇଁ ଓ ଅତିରିକ୍ତ ଉପଜିଲ୍ଲାପାଳ ସନ୍ଧ୍ୟାଞ୍ଜଳି ମାଝୀ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ। ତାଲିମ ସମୟରେ ଅଧିକାରୀମାନେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସ୍ୱଚ୍ଛତା, ନିଷ୍ଠା ଏବଂ ଦାୟିତ୍ୱବୋଧ ସହ କାର୍ଯ୍ୟ କରି ମତଦାତାଙ୍କ ବିଶ୍ୱାସ ଅର୍ଜନ କରିବାକୁ ଆହ୍ୱାନ କରିଥିଲେ। ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ମୂଳ ଆଧାର ଭାବେ ଉଲ୍ଲେଖ କରାଯାଇଥିଲା। ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘରକୁ ଘର ଯାଇ ଏସଆଇଆର କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା।ତାଲିମରେ ଘରୋଇ ସଂଶୋଧନ, ଫର୍ମ ପୂରଣ, ଅଯୋଗ୍ୟ ମତଦାତାଙ୍କ ନାମ ଅପସାରଣ, ନୂତନ ମତଦାତାଙ୍କ ନାମ ସଂଯୋଜନ, ସମୟସୀମା ପାଳନ ଏବଂ ଯାଞ୍ଚ ପ୍ରକ୍ରିୟା ଭଳି ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକୁ ଅଧିକ ସୁସଂଗଠିତ, ପ୍ରଭାବଶାଳୀ ଓ ସଫଳ କରିବାପାଇଁ ଅଧିକାରୀମାନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ