‘ସହାୟକ’ର ବିଂଶତିତମ ବାର୍ଷିକ ଉତ୍ସବ
ବାଲେଶ୍ୱର,(ଓ୍ବାଇଏନଏସ): ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମଦିବସରେ ୨୦୦୬ ଠାରୁ ଏକ ଜନକଲ୍ୟାଣକାରୀ ସେବାସଂସ୍ଥା ‘ସହାୟକ’ ପ୍ରତିଷ୍ଠା ଲାଭ କରିଥିଲା। ଉକ୍ତ ସଂସ୍ଥାର ବିଂଶତିତମ ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ‘ଆତିଥ୍ୟ ଭବନ’ରେ ଡ. କ୍ଷିତୀଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ କୁଳପତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟଅତିଥି ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଅସହାୟଙ୍କୁ ସହାୟ ହିଁ ମାନବିକତା ବୋଲି ଉଲ୍ଲେଖ କରି ସଂଗଠନ କାର୍ଯ୍ୟଧାରା ତଥା ଭୂମିକାକୁ ଭୂୟସୀ ପ୍ରଶଂସା କରିବା ସଙ୍ଗେସଙ୍ଗେ ଇତିହାସ ଓ ପୁରାଣର ବହୁତ ଉଲ୍ଲେଖନୀୟ ସେବାକାର୍ଯ୍ୟର ଉଦାହରଣ ଦେଇ ତାଙ୍କ ବକ୍ତବ୍ୟରେ ସଂଗଠନକୁ ଉତ୍ସାହିତ କରିବା ସହିତ ପ୍ରେରଣା ଦେଇଥିଲେ। ସମ୍ମାନୀୟ ଅତିଥିଭାବେ ସଂଘର ପ୍ରତିଷ୍ଠାତା ତଥା ବରିଷ୍ଠ ଉପଦେଷ୍ଠା ଦିବାକର ମହାପାତ୍ର ଏବଂ ଇଂ. ବନମାଳୀ ନାୟକ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ଏହି ଅନୁଷ୍ଠାନର ସୃଷ୍ଟି, ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଚଳିତବର୍ଷ ଇହଧାମ ତ୍ୟାଗ କରିଥିବା ସଭ୍ୟ ଓ ନେପାଳରେ ପ୍ରାକୃତିକ ଦୁର୍ବିପାକରେ ଜୀବନ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ସେମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସଂପାଦକ ଇଂ. ଡ. ହୃଷିକେଶ ସାହୁ ବାର୍ଷିକ ବିବରଣୀ ଓ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟର ବିବରଣୀ ପାଠ କରିଥିଲେ। ସଂଗଠନର ବାର୍ଷିକ ମୁଖପତ୍ର -୨୦୨୬କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥିବା ସଂଗଠନ, ବ୍ୟକ୍ତିବିଶେଷ ତଥା କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର, ଉତ୍ତରୀୟ ଓ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ସଙ୍ଗୀତଗୁରୁ ଭୁବନମୋହନ ପ୍ରଧାନ ଓ ସୁଶାନ୍ତ କୁମାର ଦାସ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆହ୍ୱାନ କରିଥିବାବେଳେ ଲକ୍ଷ୍ମଣ ଚରଣ ବିଶ୍ୱାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ତ୍ରିପାଠୀ, ଗଙ୍ଗାଧର ପୃଷ୍ଟି, ରବୀନ୍ଦ୍ର ନାଥ ଗିରି, ଦୟାନିଧି ବିଶ୍ୱାଳ, ଦୟାନିଧି ମହାପାତ୍ର, ଅକ୍ଷୟ କୁମାର କର, କଲ୍ୟାଣୀ ନନ୍ଦ, ପ୍ରଣିତା ମିଶ୍ର, ଅବନ୍ତୀ ପ୍ରଧାନ, ଶ୍ୟାମସୁନ୍ଦର ଜେନା, ରବୀନ୍ଦ୍ର କୁମାର ଭୋଳ, ଇଂ. କେଶବ ଚନ୍ଦ୍ର ମହାନ୍ତି, ଯଶୋଦା ନନ୍ଦନ ଆସ୍, ସୁଶ୍ରୀ ସାବିତ୍ରୀ ଦାସ, ଲକ୍ଷ୍ମୀପ୍ରିୟା ଜେନା, ଶଶାଙ୍କ ଶେଖର ଦତ୍ତ ପ୍ରମୁଖ ସହଯୋଗ କରିଥିଲେ। ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଂଗଠନ ପକ୍ଷରୁ ୨୭ଜଣରୁ ଊର୍ଦ୍ଧ୍ୱ ଦୁଃସ୍ଥ ନରନାରୀଙ୍କୁ ଖାଦ୍ୟ ଓ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା।


