ବେଧଡକ ଭାବରେ ଚାଲିଛି ବାଲି ଚାଲାଣ

ହାଟଡିହି (ବିକାଶ ବିା୍ବାଳ): ସାରା ରାଜ୍ୟରେ ବେଆଇନ୍ ବାଲି ପରିବହନକୁ ରୋକିବାକୁ ଲଗିପଡ଼ିଥି ଲେ ପୁରା ପୋଲିସ ବାହିନୀ। ଦିନ ନାହିଁ ରାତି ନାହିଁ ଯେତେବେଳେ ଥାନାକୁ ଯିବ ଥାନାରେ କୌଣସି ଅଧିକାରୀ କି କର୍ମଚାରୀ ଙ୍କ ଦେଖା ମିଳୁ ନଥିଲା। ବୁଝିବା ବେଳକୁ ସମସ୍ତେ ବାଲି ଗାଡି ପଛରେ ଧାଇଞ୍ଚନ୍ତି। ଏପରି ହେଲା ଯେ ଜବଦ ଗାଡି ରଖିବାକୁ ଥାନା ରେ ସ୍ଥାନ ମିଳିଲାନି। ପୋଲିସ୍ ଚଢ଼ାଉ ଦେଖି ଗାଡି ମାଲିକ ମାନେ ବି ଛାନିଆ ହୋଇଗଲେ। କାରଣ ସରକାର କରିଥିବା ନିୟମ ଅନୁସାରେ ହାଇୱା ଗୋଟି ୩/୪ଲକ୍ଷ ଓ ଟ୍ରାକ୍ଟର ଗୋଟିକୁ ୪୦/୫୦ହଜାର ଜୋରିମାନା। ତେଣୁ ଏତେ ଟେନସନ ରେ ମାଲିକ ମାନେ ଗାଡ଼ି ସବୁକୁ ଘର ଆଗରେ ଠିଆ କରାଇଦେଲେ। ବିଶେଷ କରି ନନ୍ଦିପଦା ଥାନାରେ ନୁଆ ଆଇ.ପି.ଏସ ଅଧିକାରୀ ଥିବାରୁ ସମସ୍ତେ ଭୟଭୀତ ହୋଇ ବାଲି ପରିବହନ ବନ୍ଦ କରିଦେଲେ। ଅଧିକାରୀ ଜଣକ ବାଲି ପରିବହନ ରୋକିବାକୁ ବିଭିନ୍ନ ସ୍ଥାନରେ ପୋଲିସ୍ ଫୋର୍ସ ମୃତାୟନ ମଧ୍ୟ କଲେ। ଏ ଅଞ୍ଚଳରେ ଚାଲିଥିବା ହଜାର ହଜାର ଗାଡ଼ି ବନ୍ଦ ହୋଇଯିବାରୁ ସାଧାରଣ ଲୋକେ ଆଶ୍ୱସ୍ତି ପ୍ରକାଶ କରିବା ସହ ସ୍ବଛନ୍ଦରେ ଯାତାୟତ କଲେ ।  କିନ୍ତୁ ଏବେ ଗତ ୧୫ଦିନ ହେଲା ସବୁ ନିୟମ ଯେପରି ବଦଳି ଗଲା। ସବୁ ଘାଟରେ ଏବେ ଦିନକୁ ଶହ ଶହ ଗାଡି ବାଲି ପରିବହନ କଲେ। ପୂର୍ବରୁ ଯେପରି ଚାଲୁଥିଲା ଏବେ ସେହି ସମାନ ଢ଼ଙ୍ଗରେ ଚାଲିଲା। ବୈତରଣୀ ନଦୀର ହାଟଡିହି ତହସିଲ ଅଧିନରେ ଥିବା ୭ଟି ସ୍ଥାନରେ ଦିନ ରାତି ହେଉଛି ବାଲି ପରିବହନ। ବାଲିଘାଟ ପାଇବାକୁ ହୋଇଥିବା ଚୁକ୍ତିନାମା ବେଳେ ଆଇନି ଅନୁଯାଇ ବାଲି ଘାଟରେ ମେସିନ ବ୍ୟବହାର ହୋଇ ପାରିବନି, ଭାରି ଯାନରେ ବାଲି ପରିବହନ ହେବ ନାହିଁ, ପରିବେଶ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ, ଧୁଳି ଧୂଆଁ ରୁ ରକ୍ଷା ପାଇଁ ରାସ୍ତାରେ ପାଣି ସିଞ୍ଚନ ଓ ବୃକ୍ଷ ରୋପଣ କରାଯିବ ବୋଲି ଉଲ୍ଲେଖ ହେଇଥିଲେ ବି ଲିଜଧାରୀ କୌଣସି ଗୋଟିଏ ବି ନିୟମ ମାନୁ ନାହାନ୍ତି। ବେଫିକର ଭାବେ ମନ ଇଚ୍ଛା ବାଲି ଉତ୍ତୋଳନ କରୁଛନ୍ତି। କେଉଁ ଘାଟରେ ଦୁଇଟି ତ ଆଉ କେଉଁ ଘାଟରେ ୪ଟି ମେସିନ୍ ନଦୀ ଗର୍ଭକୁ ଖୋଲିବାରେ ଲାଗି ପଡିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ କିଛି ଲିଜଧାରୀ ଲିଜ ଏରିଆ ବାହାରୁ ବାଲି ଉଠାଉଛନ୍ତି। ସ୍ଥାନୀୟ ଲୋକମାନେ ବିରୋଧ କଲେ କାହାକୁ ଅର୍ଥ ବଳରେ ଚାପି ଦିଆ ଯାଉଛି ତ ଆଉ କାହାକୁ ଧମକ ଚମକ ଦେଇ ଚୁପ୍ ରହିବାକୁ ଚେତାବନୀ ଦେଉଛନ୍ତି ଲିଜଧାରୀ। ଏତେ ସଂଖ୍ୟକ ବାଲି ବୋଝେଇ ଭାରିଯାନ ଯାତାୟତ ଆରମ୍ଭ କରିଦେଇ ଥିବାରୁ ରାସ୍ତା ଘାଟ ଶୋଚନୀୟ ହୋଇପଡିଛି। ଶାଳଣିଆଁ ଠାରୁ ସାହାପୁର, ହାବଳେଶ୍ୱର ଠାରୁ ବିଷ୍ଣୁପୂର,  ହାବଳେଶ୍ୱର ଠାରୁ ମଥୁରାପୁର ପୋଲ, ଅଣା ସମଣା,  ବରାଙ୍ଗ ଠାରୁ ଯାବିନିପୂର ରାସ୍ତା ଗୁଡ଼ିକ ଶୋଚନୀୟ ହୋଇପଡିଛି। ସନ୍ଧ୍ୟା ହେଲେ ଏହିସବୁ ରାସ୍ତାରେ କେବଳ ବାଲି ଗାଡ଼ି ବ୍ୟତୀତ ଅନ୍ୟ କୌଣସି ଗାଡ଼ି ଯାତାୟତ କରି ପାରୁନି। ଏପରିକି ଆମ୍ବୁଲାନ୍ସ ଟିଏ ମଧ୍ଯ ଯାଇ ପାରୁନି।   ଅନ୍ୟ ପକ୍ଷରେ ଖଣି ବିଭାଗ, ପୁଲିସ ଓ ପ୍ରଶାସନ ପକ୍ଷରୁ ଧରପଗଡ ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଛି। ୧୫ଦିନ ତଳେ ସମସ୍ତେ ସକ୍ରିୟ ଥିବାବେଳେ ଏବେ କଣ ହେଲା ଯେ ସମସ୍ତେ ବାଲି ପରିବହନକୁ ପ୍ରୋତ୍ସାହନ ଦେଲେ। ଦୁଇଦିନ ତଳେ ଅଣା ସମଣା ରାସ୍ତାରେ କିଛି ଯୁବକ ବାଲି ବୋଝେଇ ଭାରିଯାନକୁ ବନ୍ଦ କରିଥିଲେ। କିନ୍ତୁ ପୋଲିସ୍ ପହଞ୍ଚି ଯୁବକ ମାନଙ୍କୁ ଗିରଫ ଭୟ ଦେଖାଇ ବାଲି ଗାଡ଼ିକୁ ଛାଡିଥିଲା। ଏଠାରେ ପ୍ରଶ୍ନ ଉଠେ ଯେ କାହା ଇଙ୍ଗିତରେ ଚାଲିଛି ବାଲି ପରିବହନ। କୌଣସି ଗୋଟିଏ ବି ଗାଡ଼ିରେ ଟ୍ରାଞ୍ଜିଟ, ପରମିଟ ନଥିବା ବେଳେ କିପରି ହେଇଛି ପରିବହନ। ଏ ସମ୍ପର୍କରେ ଖଣି ବିଭାଗର ଅଧିକାରୀ ତାରିଣୀ ସିଂ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ଚଢ଼ାଉ କରିବାକୁ ଯାଉଛୁ, ଆମେ ଗଲା ବେଳକୁ ଗାଡ଼ି ବନ୍ଦ ହୋଇ ଯାଉଛନ୍ତି। ଅନୁମତି କିଏ ଦେଲା ର ଉତ୍ତର ରେ କହିଛନ୍ତି ଯେ ଆପଣ ମାନେ ଆମଠାରୁ ଅଧିକ ଜାଣିଥିବେ କିଏ ଅନୁମତି ଦେଇଛି। ଆମେ କଣ କହିବୁ ସେ ବାବଦରେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ