ସ୍ୱାୟତ୍ତ ଶାସନ ସପ୍ତାହରେ ଚାରାରୋପଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ୫୩ ତମ ସ୍ୱାୟତ୍ତ ଶାସନ ସପ୍ତାହ ଉଦଯାପନୀ ସମାରୋହ ସୋମବାର ଅନୁଷ୍ଠିତ ହେବ।ରବିବାର ଏନେଇ ସମସ୍ତ ପ୍ରସ୍ତୁତି ସରିଛି।ସୋମବାର ଭୋର ରେ ପ୍ରଭାତ ଫେରି ପରେ ସକାଳେ କାର୍ଯ୍ୟାଳୟ ସମ୍ମୁଖରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଜାତୀୟ ପତାକା ଉତ୍ତୋଳନ କରିବେ।ସନ୍ଧ୍ୟା ୫ ଟା ରେ ବଜାର ଗାନ୍ଧୀ ଛକ ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ବ୍ରହ୍ମପୁର ଏମ.ପି ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ,ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର,ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି। ସଭା ଶେଷରେ ରାଜ୍ୟର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ସୁନାମଧନ୍ୟ କଳାକାର ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ,ସଙ୍ଗୀତ,କମେଡି ପରିବେଷଣ କରାଯିବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଜଣାଇଛନ୍ତି। ସ୍ୱାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ରବିବାର ପଥ ଉତ୍ସବ, ସାଇକେଲ ସନ୍ତୁଳନ ପ୍ରତିଯୋଗିତା ଓ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ୨ ନଂ ୱାର୍ଡ କାଳିଆ ନଗର ସମେତ ଶ୍ମଶାନ ନିକଟରେ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା, କାଉନସିଲର ସୁଶାନ୍ତ କୁମାର ପାତ୍ର ଙ୍କ ସମେତ ଏନ୍ଏସି କାର୍ଯ୍ୟାଳୟ ଗୋଷ୍ଠୀ ସଂଯୋଜିକା ସନ୍ଧ୍ୟାରାଣୀ ପଟ୍ଟନାୟକ,କନିଷ୍ଠ ସ୍ବଚ୍ଛତା ଏକ୍ସପାର୍ଟ ପି.ସ୍ୱାଗତିକା ପାତ୍ର, ଜେଇସି ଇଂ.ମିଥୁନ ସେନାପତି, ଡିଇଓ ସନ୍ତୋଷ କୁମାର ପାଢ଼ୀ, ରାଜସ୍ବ ନୀରିକ୍ଷକ ହରିକୃଷ୍ଣ ସାହୁ, ଟିକସ ଅଧିକାରୀ ଏସ.ଲୋକନାଥ ସୁବୁଦ୍ଧି ଙ୍କ ସମେତ ଏନ୍ଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟାଳୟ ପରିସରରେ କର୍ମଚାରୀ ସତ୍ୟନାରାୟଣ ଦାସ ଙ୍କ ତତ୍ତ୍ଵାବଧାନରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ଓ ସଦସ୍ୟା ଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ପୁଚି ଖେଳ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ନିମନ୍ତେ ଚୟନ କରାଯାଇଥିଲା।ପରେ ଏନ୍ଏସି କର୍ମଚାରୀ ସନ୍ତୋଷ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ସହରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା। ସୋମବାର ଆୟୋଜିତ ଉଦଯାପନୀ ସମାରୋହରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।


