ବର୍ଷାରେ ବେହାଲ ଏସସିବି ମେଡିକାଲ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ
କଟକ (ଓ୍ବାଇଏନଏସ): ବର୍ଷା ଯୋଗୁଁ କଟକ ବଡ଼ ମେଡିକାଲକୁ ରୋଗ ଦେଖାଇବାକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କ ଦୁର୍ଦ୍ଦଶା ବଢ଼ିଛି । ଲଗାଣ ବର୍ଷା ମଧ୍ୟରେ ହସ୍ପିଟାଲ ପରିସରକୁ ଯିବା ଆସିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଏ ହାତରେ ଛତା ଧରି ରୋଗୀଙ୍କୁ ନେଇ ହସ୍ପିଟାଲ ଯାଉଛନ୍ତି, ତ ଆଉ କିଏ ବର୍ଷାରେ ଭିଜି ଭିଜି ଚିକିତ୍ସା ପାଇଁ ଧାଉଛନ୍ତି। ବର୍ଷା ମଧ୍ୟରେ ରୋଗୀଙ୍କୁ ନେଇ ହସ୍ପିଟାଲର ବିଭିନ୍ନ ବିଭାଗକୁ ଯିବା ମଧ୍ୟ ଚ୍ୟାଲେଞ୍ଜ ହୋଇପଡ଼ିଛି । ବିଶେଷକରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଧିକ ହଇରାଣ ହେଉଛନ୍ତି। ଦୂରଦୂରାନ୍ତରୁ ଆସିଥିବା ଅନେକ ଲୋକ ଛତା ଆଣିନଥିବାରୁ ବର୍ଷାରେ ଭିଜି ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି । ଅସୁସ୍ଥ ରୋଗୀଙ୍କ ପାଇଁ ବର୍ଷା ମଧ୍ୟରେ ଏଭଳି ଯାତାୟାତ ଆହୁରି ଅସୁବିଧାଜନକ ହୋଇପଡ଼ିଛି । ଚିକିତ୍ସା ପାଇଁ ଦୂର ଜିଲ୍ଲାରୁ ଆସିଥିବା ଲୋକେ ବର୍ଷାରୁ ସୁରକ୍ଷା ପାଇଁ ହସ୍ପିଟାଲ ପରିସରରେ ଉପଯୁକ୍ତ ବ୍ୟବସ୍ଥା ଦାବି କରିଛନ୍ତି । ବର୍ଷା ଦିନରେ ରୋଗୀ ଓ ସମ୍ପର୍କୀୟଙ୍କ ସୁବିଧା ପାଇଁ ଅଧିକ ଆଶ୍ରୟସ୍ଥଳ, ଛାତ ଓ ଯାତାୟାତ ବ୍ୟବସ୍ଥା କରାଯିବା ନେଇ ଏବେ ଦାବି ଜୋର ଧରିଛି ।


