ମହାନଦୀ ପଠାରେ ଜମିଲା ବୋଇତ ବନ୍ଦାଣ ଉତ୍ସବ
କଟକ, (ଓ୍ବାଇଏନଏସ): ଉତ୍କଳୀୟ ସଂସ୍କୃତି, ପରମ୍ପରା ଓ ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇ ମହାନଦୀ ପଠାରେ ଆୟୋଜିତ ହୋଇଥିଲା ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ। ତୈଳିକ ବୈଶ୍ୟ ସମାଜ ଏବଂ କଟକ ଜିଲ୍ଲା ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ବୋଇତ ବନ୍ଦାଣ ସହ ସାଧବ ପୁଅ ଓ ସାଧବ ବୋହୂଙ୍କ ପାରମ୍ପରିକ ବେଶଭୂଷା ମୁଖ୍ୟ ଆକର୍ଷଣ ପାଲଟିଥିଲା। ଏହି ଅବସରରେ ବହୁ ଦମ୍ପତି ପାରମ୍ପରିକ ସାଧବ ପୁଅ ଓ ସାଧବ ବୋହୂ ବେଶରେ ସଜ୍ଜିତ ହୋଇ ସୁସଜ୍ଜିତ ବୋଇତ ନିକଟରେ ପୂଜାର୍ଚ୍ଚନା କରିଥିଲେ। ମହିଳାମାନେ ପାରମ୍ପରିକ ପାଟଶାଢ଼ୀ ଓ ସୁନ୍ଦର ଅଳଙ୍କାର ପରିଧାନ କରି ହାତରେ ପୂଜା ଥାଳି, ଦୀପ ଓ ଫୁଲ ଧରି ହୁଳହୁଳି ଦେଇ ବୋଇତ ବନ୍ଦାଣ କରିଥିଲେ। ଅନ୍ୟପକ୍ଷରେ ପୁରୁଷମାନେ ଧୋତି, ପଞ୍ଜାବୀ ଓ ପଗଡ଼ି ପରିଧାନ କରି ସାଧବ ପୁଅଙ୍କ ପାରମ୍ପରିକ ବେଶରେ ଉତ୍ସବରେ ସାମିଲ ହୋଇଥିଲେ।ଓଡ଼ିଶାର ଗୌରବମୟ ଅତୀତରେ ସାଧବ ପୁଅମାନେ ବୋଇତରେ ସମୁଦ୍ର ପଥ ଦେଇ ଜାଭା, ସୁମାତ୍ରା ଓ ବାଲି ଭଳି ଦକ୍ଷିଣ-ପୂର୍ବ ଏସିଆର ଦ୍ୱୀପପୁଞ୍ଜକୁ ବାଣିଜ୍ୟ କରିବାକୁ ଯାତ୍ରା କରୁଥିଲେ। ଯାତ୍ରା ପୂର୍ବରୁ ସାଧବ ବୋହୂମାନେ ପୂଜାର୍ଚ୍ଚନା କରି ସେମାନଙ୍କୁ ଶୁଭ ମନାସି ବିଦାୟ ଦେଉଥିବା ପରମ୍ପରାର ଏକ ଜୀବନ୍ତ ଚିତ୍ର ଏହି ଉତ୍ସବରେ ପ୍ରତିଫଳିତ ହୋଇଥିଲା।କେବଳ ଏକ ସାଂସ୍କୃତିକ ଆୟୋଜନ ନୁହେଁ, ବରଂ ଓଡ଼ିଆ ଜାତିର ଅସ୍ମିତା, ନୌବାଣିଜ୍ୟ ପରମ୍ପରା ଓ ଐତିହାସିକ ଗୌରବକୁ ପରବର୍ତ୍ତୀ ପିଢ଼ି ନିକଟରେ ପହଞ୍ଚାଇବାର ଏକ ପ୍ରୟାସ ଥିଲା ଏହି କାର୍ଯ୍ୟକ୍ରମ। ଆଧୁନିକତାର ପ୍ରଭାବ ମଧ୍ୟରେ ନିଜର ମୂଳ ସଂସ୍କୃତି ଓ ପରମ୍ପରାକୁ ଜୀବନ୍ତ ରଖିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାର ସମୃଦ୍ଧ ଇତିହାସ ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।


