ଅସ୍ତରଙ୍ଗରେ ଜାଳେଣି ଗ୍ୟାସର ଅଭାବ: କଳା ବଜାରୀ ଆଶଙ୍କା ଉପଭୋକ୍ତା

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ ଏବେ ଅଶୋଧିତ ତୈଳ ବଜାରକୁ କବଳିତ କରିଛି। ଫଳରେ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ ଭଳି ସାମଗ୍ରୀର ଆମଦାନୀ କମିକମି ଯାଉଛି। ଭାରତବର୍ଷ ରେ ପ୍ରଭାବିତ ତୈଳ ବଜାର ଓଡିଶାକୁ ମଧ୍ୟ ଗ୍ରାସ କରିସାରିଛି। ପେଟ୍ରୋଲ ଏବଂ ଡିଜେଲର ଦାମ୍ ବଢ଼ିନଥିଲେ ମଧ୍ୟ ଅନେକ ଟାଙ୍କିରେ ତେଲର ଅଭାବ ଦେଖାଦେଲାଣି। ଯାହାକି ଅସ୍ତରଙ୍ଗ ଅଞ୍ଚଳ ରେ ଥିବା ନିଦ୍ଧିଷ୍ଟ ଟାଙ୍କି କିଛି ଘଣ୍ଟା ଲେଖାଏଁ ତେଲ ନାହିଁ ବୋଲି କହି ବନ୍ଦ କରିଦେଉଛନ୍ତି। କିନ୍ତୁ ରନ୍ଧନ ଗ୍ୟାସର ଦାମ୍ ୬୦ଟଙ୍କାରୁ ବଢାଯାଇଥିବା ବେଳେ ଏବେ ଆଉ ଗ୍ୟାସ ଟାଙ୍କି ଉପଭୋକ୍ତା ଙ୍କୁ ମିଳୁନି। ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ରନ୍ଧନ ଗ୍ୟାସର ଘୋର ଅଭାବ ପରିଲିଖିତ ହୋଇଛି। ସପ୍ତାହକ ତଳୁ ଗ୍ୟାସର ଅନଲାଇନି ବୁକିଂ ହେଉନଥିବା ବେଳେ ଏବେ ଡିଷ୍ଟ୍ରିବ୍ୟୁଟର କାଉଣ୍ଟରରେ ମଧ୍ୟ ଗ୍ୟାସ ବୁକିଂ କରିଥିବା ଉପଭୋକ୍ତା ଙ୍କୁ ମଧ୍ୟ ଗ୍ୟାସ ଯୋଗାଯାଇ ପାରୁନାହିଁ। ଟଙ୍କା ଦେଲେ ବି ଗ୍ୟାସ ଟାଙ୍କି ଦେବାକୁ ଡିଷ୍ଟ୍ରିବ୍ୟୁଟର ମନା କଲେଣୀ। ଗୋଦାମ ରେ ଗ୍ୟାସ ଟାଙ୍କି ନଥିବା ଦର୍ଶାଇ ଉପଭୋକ୍ତା ଙ୍କୁ ଫେରାଇ ଦିଆଯାଉଛି। ଫଳରେ ଉପଭୋକ୍ତା ଙ୍କୁ ରୋଷେଇ ଚିନ୍ତା ଘାରିଲାଣି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ପ୍ରାୟ ୧୦ହଜାର ରୁ ଅଧିକ ଉପଭୋକ୍ତା ଗ୍ୟାସ ଯୋଗାଇବାନିମନ୍ତେ ବିଭିନ୍ନ ଡିଷ୍ଟ୍ରିବ୍ୟୁଟର ନିଯୁକ୍ତ ହୋଇଛନ୍ତି। ବିଭିନ୍ନ କମ୍ପାନୀ ଡିଷ୍ଟ୍ରିବ୍ୟୁଟର ଙ୍କ ନିକଟରେ ପ୍ରତ୍ୟେକ ଦିନ ଗ୍ୟାସ ଟାଙ୍କିର ଗାଡି ଆସିଥାଏ। ପୂର୍ବରୁ ବୁକିଂ କରିଥିବା ଉପଭୋକ୍ତା ଙ୍କୁ ଗ୍ୟାସ ଯୋଗାଇ ଦିଆଯାଇଥିଲେ ମଧ୍ୟ ଗୋଦାମ ରେ ଏବେ ଟାଙ୍କିର ଅଭାବ କାରଣରୁ ଆଉ ବୁକିଂ ଦିଆଯାଉନଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। କିଛି ଦିନ ହେବ ଗ୍ୟାସ ଗୋଦାମ ସମ୍ମୁଖରେ ଲୋକେ ଲାଇନି ଲଗାଇଥିବା ବେଳେ ଆଜି ପରିସ୍ଥିତି ଅଣାୟତ ହୋଇଥିଲା। ଘରକୁ ଘର ବୁଲି ଗ୍ୟାସ ଯୋଗାଉଥିବା ଗାଡି ଗୁଡିକ ଆଉ ବୁଲୁନଥିବା ବେଳେ ଯୋଗାଣ ଦାୟିତ୍ୱ ବହନ କରୁଥିବା ଏଜେଣ୍ଟ ମାନେ ମଧ୍ୟ ଫୋନ ଉଠାଉନାହାନ୍ତି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ଉପଭୋକ୍ତା ତାଲିକାରେ ୩୦%ବାଣିଜ୍ୟକ ଅନୁଷ୍ଠାନ ରହିଥିବା ବେଳେ ପ୍ରାୟ ୭୦%ଉପଭୋକ୍ତା ଘରୋଇ ଗ୍ୟାସ ବ୍ୟବହାର କରିଥାନ୍ତି। ସରକାର ବାଣିଜ୍ୟକ ଅନୁଷ୍ଠାନକୁ ସାମୟିକ ଗ୍ୟାସ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇସାରିଛନ୍ତି। ଘରୋଇ ଉପଭୋକ୍ତା ଙ୍କୁ ଆବଶ୍ୟକ ମୁତାବକ ଗ୍ୟାସ ଟାଙ୍କି ଯୋଗାଇ ଦିଆଯିବ ବୋଲି ସରକାର ବି ଘୋଷଣା କରିଛନ୍ତି। କିନ୍ତୁ ଅସ୍ତରଙ୍ଗ ବ୍ଲକ ଅଂଚଳରେ ହଠାତ ଗ୍ୟାସ ନ ମିଳିବା ପଛରେ କଳା ବଜାରୀ ଆଶଙ୍କା ଆଡକୁ ଆଙ୍ଗୁଳି ନିର୍ଦ୍ଧେଶ କରୁଛି। ବାଣିଜ୍ୟକ ଅନୁଷ୍ଠାନ ଚଢା ଦରରେ ଘରୋଇ ଗ୍ୟାସ ଟାଙ୍କି ଯୋଗାଇ ଦେବା ନିମନ୍ତେ ଅସ୍ତରଙ୍ଗ ଅଞ୍ଚଳ ରେ ଗ୍ୟାସ ଖାଲିର ବାହାନା କରୁଥିବା ଅନେକ ଉପଭୋକ୍ତା ଅଭିଯୋଗ କରିଛନ୍ତି। ଏପରିସ୍ଥିତି ରେ ଯୋଗାଣ ବିଭାଗ ନିରବ ଦ୍ରଷ୍ଟା ସାଜିବା ଜନଗଣ ଙ୍କୁ ଅସନ୍ତୋଷ କୁ ଦ୍ବିଗୁଣିତ କରି ଦେଇଛି। କେଁଉ ଡିଷ୍ଟ୍ରିବ୍ୟୁଟର କେତେ ଗ୍ୟାସ ଆଣିଥିଲେ ଏବଂ କେତେ ଉପଭୋକ୍ତା ଙ୍କୁ ପ୍ରଦାନ କରିଛନ୍ତି, ତାହାର ନିୟମିତ ଯାଞ୍ଚ କରିବାର ଦାୟିତ୍ୱ ଯୋଗାଣ ବିଭାଗ ହୋଇଥିବା ବେଳେ ଯୋଗାଣ ବିଭାଗ ପଦାକୁ ଗୋଡ଼ କାଢ଼ିବାକୁ ନାରାଜ। ଘରୋଇ ଟାଙ୍କିକୁ ବାଣିଜ୍ୟକ ଅନୁଷ୍ଠାନରେ ଲଗାଯାଉଥିବାର ଅଭିଯୋଗ କୁ ଯୋଗାଣ ବିଭାଗ ତଦନ୍ତ କରିବା ବଦଳରେ ଅଫିସର ଶୀତତାପ ନିୟନ୍ତ୍ରିତ କୋଠରୀରେ ଦିନ କାଟିବା ଉପଭୋକ୍ତା ଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ