ସାନଖେମୁଣ୍ଡି ରେ ସ୍ଥିତି ବେହାଲ, ଜନ ଜୀବନ ଅସ୍ତବ୍ୟସ୍ତ
ଦିଗପହଣ୍ଡି (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳ ଗୁଡିକରେ ବାତ୍ୟା ‘ ଅର୍ଣ୍ଣବ ‘ ପ୍ରଭାବରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପାଡିଛି। ୩୨୬ ନଂ ଜାତୀୟ ରାଜପଥ ର ପଳାଶପୁର ବ୍ରିଜ ଉପରେ ବୁଧବାର ଅପରାହ୍ନ ଠାରୁ ଘୋଡ଼ାହାଡ଼ ନଦୀ ର ବନ୍ୟାଜଳ ପ୍ରାୟ ୧୫ ଫୁଟ ଉଚ୍ଚ ରେ ପ୍ରବାହିତ ହେଉଥିବାରୁ ଆସିକା ରୁ ପାଟପୁର – ଦିଗପହଣ୍ଡି କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଟି.ଗୋବିନ୍ଦପୁର ଗ୍ରାମରୁ ଭାୟା ଘୋଡ଼ାଆମ୍ବ ଗୋଛାଗୁଡ଼ା କୁ ସଂଯୋଗ କରୁଥିବା ବ୍ରିଜ ଟି ପଟ୍ଟାଶାଳ ଗାଁ ନିକଟରେ ଭାସି ଯାଇଛି।ଫଳରେ ଅନେକ ଅନୁସୂଚିତ ଜନଜାତି ଗାଁ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି।ଅନେକ ଗାଁ ର ଲୋକେ ବାତ୍ୟା ଆଶ୍ରୟ ସ୍ଥଳକୁ ଯାଇପାରିନାହାନ୍ତି। ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଇନଥିବା ଜଣାପଡ଼ିଛି। ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୦ ରୁ ଉର୍ଦ୍ଧ୍ବ ଗାଁ ର ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଇନାହିଁ। ରାସ୍ତା ଗୁଡିକରେ ପାଣି ପ୍ରବାହିତ ହେଉଥିବାରୁ ସାନଖେମୁଣ୍ଡି ବ୍ଲକ ସଦର ମହକୁମା ପାଟପୁର କୁ ଅନେକ ଗାଁ ଲୋକେ ଆସି ପାରୁନାହାନ୍ତି। ବିଭିନ୍ନ ପଞ୍ଚାୟତ ର ସ୍କୁଲ, ପାଟପୁର ଥାନା, ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଜଳ ମଗ୍ନ ହୋଇଥିବା ଦେଖିବାକୁ ମିଳିଛି।ମଙ୍ଗଳବାର ଠାରୁ ଅନେକ ଗାଁ କୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି।ମୋବାଇଲ ନେଟୱାର୍କ ନଥିବା କାରଣରୁ ଲୋକେ କାହାରିକୁ ଫୋନ ଯୋଗେ ଯୋଗାଯୋଗ କରିପାରୁନାହାନ୍ତି। କଙ୍କୋରଡ଼ା ପଞ୍ଚାୟତ କରାଖଣ୍ଡି ଗ୍ରାମ ଜଳ ବନ୍ଦୀ ଅବସ୍ଥାରେ ଥିବା ବେଳେ ତପସ୍ପିନି ସାହୁ ନାମ୍ନୀ ଜଣେ ଗର୍ଭବତୀ ମହିଳା ସେଠାରେ ରହିଥିବା ସୂଚନା ପାଇ ଗୁରୁବାର ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର,ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ , ସିଡିପିଓ ଭବାନୀ ବେହେରା କରାଖଣ୍ଡି ଗ୍ରାମ ନିକଟରେ ପହଞ୍ଚି ତାଙ୍କୁ ଉଦ୍ଧାର ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ଏନଡ଼ିଆର ଏଫ ଟିମ୍ ପାୱାର ବୋଟ୍ ସାହାଯ୍ୟ ରେ ଗାଁ ରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସିଡିପିଓ ଙ୍କ ହେପାଜତ ରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକା ଚିକିତ୍ସା ର ଆବଶ୍ୟକତା ଥିବାରୁ ଉପସ୍ଥିତ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପାଣିର ପ୍ରଖର ସ୍ରୋତ ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମର ବ୍ରିଜ, ଖଲିଙ୍ଗି ବ୍ରିଜ, ଜଲମରା ବ୍ରିଜ ଗୁଡ଼ିକ ଭାଙ୍ଗି ଯିବାରୁ ଗାଁ ରେ ବନ୍ୟା ଜଳ ପ୍ରବାହିତ ହେଉଛି।ବଉଳଘାଇ, ଜଲମରା,ମଳାଭଞ୍ଜା,ପଥରପୁଞ୍ଜି , ଉସ୍ତା ଜଗନ୍ନାଥପୁର, ଖୋଲଡି , ଆମ୍ବଗାଁ , ଖଲିଙ୍ଗି, କଳରାପଦର ପଞ୍ଚାୟତ ର ଦ୍ୱିତୀୟ ଧରମପୁର ଜୟନଗର ,ଗାଁ ରାସ୍ତା ରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।ଓଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀ କାମରେ ଲାଗିଥିଲେ ମଧ୍ୟ ଜଳ ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ।ଗୃହପାଳିତ ପ୍ରାଣୀ ମାନଙ୍କ କଥା କହିଲେ ନସରେ। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ହଜାର ହଜାର ହେକ୍ଟର ଧାନ ଗଛ ପାଣି ରେ ବୁଡ଼ି ରହିଥିବା ରୁ ଚାଷୀ ମାନେ ହତାଶ ହୋଇପଡିଛନ୍ତି। ଏନେଇ ବିଜେଡି ନେତା ଯୋଗେନ୍ଦ୍ର ସ୍ୱାଇଁ ରାଜ୍ୟ ସରକାର ଏବଂ ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ନିବେଦନ କରିଛନ୍ତି।


