ଗାନ୍ଧୀ ଜୟନ୍ତୀରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅଧୀନ ୧୬ଟି ଗ୍ରାମ ପଞ୍ଚାୟତରେ ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଅଲଣା ପଞ୍ଚାୟତ ପରିସରରେ ସରପଞ୍ଚ ଚନ୍ଦ୍ରମଣି ବେହେରାଙ୍କ ସଭାପତିତ୍ୱରେ ଗ୍ରାମସଭା ହୋଇଥିଲା। ଏଥିରେ ବିଭିନ୍ନ ଗ୍ରାମର ସମସ୍ୟା, ଲୋକଙ୍କ ଆବଶ୍ୟକତା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ୱାର୍ଡ ସଭ୍ୟମାନେ ଆଲୋଚନା କରିଥିଲେ। ପଞ୍ଚାୟତ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଇଥିଲେ। ସଭାରେ ନାଏବ ସରପଞ୍ଚ ରଶ୍ମିତା ପାତ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶାରଦା ପ୍ରସନ୍ନ ସାମଲ, ନାଉଗାଁ ତହସିଲର ଏସ୍ଓ ଗଗନ ବିହାରୀ ପ୍ରଧାନ, ଆଇସିଡିଏସ୍ ସୁପରଭାଇଜର ସ୍ମୃତିପ୍ରଜ୍ଞା ମହାପାତ୍ର, ଏଡିଇଓ ରଶ୍ମି ତ୍ରିପାଠୀ ଓ ନାଉଗାଁ ବିଆରସି ସୁବାସ ଚନ୍ଦ୍ର ରାଉତ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ମତ ରଖିଥିଲେ। ପଞ୍ଚାୟତର ୧୬ଟି ୱାର୍ଡର ୱାର୍ଡ ସଭ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ନାଉଗାଁ ମିଡିଆ କ୍ଲବ ପକ୍ଷରୁ ନାଉଗାଁ ହାଟ ହାଇସ୍କୁଲ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କ୍ଲବର ସୁଧା ବେହୁରା, ମନୋଜ ନାୟକ, ଦେବଜ୍ୟୋତି ମହାନ୍ତି, ପ୍ରଦୋଷ ମହାନ୍ତି, ଅଭିମନ୍ୟୁ ସାହୁ, ଅଜିତ ଓଝା, ମାନସ ସ୍ୱାଇଁ, ସୁଶାନ୍ତ ପରିଡ଼ା, ସାମାଜିକ କର୍ମୀ ସୁନିଲ ମାଟିଆ, ସୁଶାନ୍ତ ସାହୁ ଓ ହିରାଚାନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


