ଚୋରା ଡିଜେଲ ଜବତ, ୨କୋର୍ଟ ଚାଲାଣ

ନାଉଗାଁ,(ଓ୍ବାଇଏନଏସ):ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଦେଶରେ ତେଲ ସଙ୍କଟ ଦେଖାଦେଇଛି। ଏହାର ସୁଯୋଗ ନେଇ ଅସାଧୁ ଚୋରା ବେପାରୀମାନେ ତେଲ କଳା ବଜାରରେ ବିକ୍ରି କରୁଥିବା ଜଣାଯାଇଛି। କିଛି ଦିନ ତଳେ ତେଲ ସଙ୍କଟକୁ ଏଡାଇବାକୁ ଜଗତସିଂହପୁର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଭିନ୍ନ ପେଟ୍ରୋଲ ପମ୍ପ ବୁଲି ଥିଲେ। ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ପ୍ରତି ବ୍ଳକରେ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ଦ୍ୱାରା ଯେଉଁ ସ୍ଥାନରେ ଅସାଧୁ ଉପାୟରେ ତେଲ ବିକ୍ରି କରାଯାଇଛି ତାହା ଉପରେ ତୀକ୍ଷଣ ନଜର ରଖାଯାଇଥିଲା। ନାଉଗାଁ ଥାନା ପକ୍ଷରୁ ୨ଟି ସ୍ଥାନରେ ଚଢାଉ କରାଯାଇ ୮୫୦ ଲିଟର ତେଲ ଜବତ କରାଯାଇଥିଲା। ଏସଂକ୍ରାନ୍ତରେ ମଙ୍ଗଳବାର ଥାନା ପରିସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ନାଉଗାଁ ଥାନାଧିକାରୀ ଦେବାଶୀଷ ପଣ୍ଡାଙ୍କ ନେତୃତ୍ୱରେ ସୋମବାର ଏକ ବିଶେଷ ସୂତ୍ରରୁ ଖବର ପାଇ ବ୍ଳକ ଯୋଗାଣ ନିରୀକ୍ଷକ ପ୍ରଦୀପ୍ତ ପ୍ରସନ୍ନ ନାୟକ ଙ୍କ ସମେତ ଏକ ଟିମ ନୂଆଗାଁ ପଂଚାୟତ ସରିଆବର ପାଟଣା ଗ୍ରାମର ରବିନ୍ଦ୍ର ନାରାୟଣ ସାହୁ ଓ ଗଜରାଜପୁର ପଂଚାୟତ ଭାତପଡା ଗ୍ରାମର ପଦ୍ମନାଭ ଆଚାର୍ଯ୍ୟଙ୍କ ଘର ଉପରେ ଚଢାଉ କରାଯାଇଥିଲା। ଉଭୟ ୧ ହଜାର ଲିଟର ଲେଖାଁଏ ଡିଜେଲ ଆଣିଥିବା ଚଢାଉ ବେଳେ ଜଣା ପଡିଥିଲା। ନଗେନ୍ଦ୍ର ଏକ ହଜାର ଲିଟର ଡିଜେଲରୁ ୪ ଶହ ଲିଟର ତେଲ ବିକ୍ରି କରିଥିବା ବେଳେ ଅନ୍ୟ ୬ ଶହ ଲିଟର ତେଲ ଡ୍ରମ ସହ ତେଲ ମାପ କରିବା ପାଇଁ ବ୍ୟବହୃତ ସାମଗ୍ରୀ ଓ ବିକ୍ରି କରିଥିବା ୪ଶହ ଲିଟର ତେଲର ଟଙ୍କା ଜବତ କରାଯାଇଥିଲା। ସେହିପରି ପଦ୍ମନାଭ ଆଣିଥିବା ୧ ହଜାର ଲିଟରରୁ ୭୫୦ ଲିଟର ବିକ୍ରି କରିଥିବା ବେଳେ ୨୫୦ ଲିଟର ଡିଜେଲ ସମେତ ବ୍ୟବହୃତ ଉପକରଣମାନ ଜବତ କରାଯାଇଥିଲା। ଏହି ତେଲକୁ ସେମାନେ ଜଗତସିଂହପୁର ଓ ଗଙ୍ଗଦାରୁ ଅଣାଯାଇଥିବା ତଦନ୍ତ ବେଳେ ଜଣାଯାଇଛି। ଏହି ଦୁଇ ଜଣଙ୍କ ବ୍ୟତିତ ଉକ୍ତ ଥାନା ଅଂଚଳରେ ଆଉ କେହି ବ୍ୟକ୍ତି ତେଲ ଚୋରା ବେପାରରେ ସଂପୃକ୍ତି ରହିଛନ୍ତି ସେ ବିଷୟରେ ତଦନ୍ତ ଜାରି ରହିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ ସୂଚନା ଦେଇଥିଲେ। ଯୋଗାଣ ନିରୀକ୍ଷକ ନାୟକଙ୍କ ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୩୬/୨୦୨୬ ଓ ୧୩୭/୨୦୨୬ରେ ମାମଲା ରୁଜୁ କରାଯିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ଏତେ ତେଲ କିପରି ପେଟ୍ରୋଲ ପମ୍ପରୁ ଜଣେ ବ୍ୟକ୍ତିଙ୍କୁ ପ୍ରଦାନ କରାଗଲା ସେ ବିଷୟରେ ତଦନ୍ତ ଜାରି ରହିଥିବା ଦାସ ସୂଚନା ଦେଇଥିଲେ। ଜବତ ତେଲକୁ ଗଙ୍ଗଦା ଓ ଜଗତସିଂହପୁର ପେଟ୍ରୋଲ ପମ୍ପ ଜିମା ଦିଆଯାଇଥିବା ଜଣାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଦାସ ,ଏସଡିପିଓ ରଶ୍ମି ରଂଜନ ଦାସ, ଥାନାଧିକାରୀ ପଣ୍ଡା, ବ୍ଳକ ଯୋଗାଣ ନିରୀକ୍ଷକ ନାୟକ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ