ପୋଲିସର ଅପରେସନ ‘ବୈତରଣୀ’, ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲାରେ “ଅପରେସନ ବୈତରଣୀ” କାର୍ଯ୍ୟାନୁଷ୍ଠାନରେ ୧୦ ଜଣ ବାଲି ମାଫିଆ ଓ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନନ୍ଦିପଦା ଥାନାରେ ଦାୟର ହୋଇଥିବା କେସ ଅନୁସାରେ ସୋଲପଟା ଗ୍ରାମର ଗୁରୁବ୍ରତ ଖଣ୍ଡାୟୀ, ଏଲକଣିଆ ଗ୍ରାମର ଯୋଗେନ୍ଦ୍ର ବେହେରା, ଜଳକଳଙ୍ଗ ଗ୍ରାମର ବାପି ନାୟକ ଏବଂ ବଞ୍ଚୋ ଗ୍ରାମର ରତିକାନ୍ତ ରାଉତଙ୍କୁ ନନ୍ଦିପଦା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି, ଘସିପୁରା ଥାନାରେ ଦାୟର ହୋଇଥିବା କେସ ଅନୁସାରେ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଧକୋଠାର ଅଜିତ କୁମାର ପ୍ରୁଷ୍ଟି, ତରତରାର ଦୀପ୍ତି ରଞ୍ଜନ ବାରିକ, ଅମାରଙ୍ଗର ଅଜିତ କୁମାର ନାୟକ, ବୀରଗୋବିନ୍ଦପୁରର ସୌମ୍ୟ ପ୍ରକାଶ ମହାପାତ୍ର, ପାଟଣା ର ମନବୋଧ ମହାନ୍ତ ଓ ଘଟଗାଁ ଉପରଡିହାର ଜିତେନ୍ଦ୍ର କୁମାର ସାଙ୍କୁ ଘସିପୁରା ପୋଲିସ ଗିରଫ କରିଛି। ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯାଇବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଯାଇଛି। ଏଠାରେ ସୂଚନାଯୋଗ୍ୟ, କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଏସପି ସ୍ନେହାଶିଷ ସାହୁଙ୍କ ତତ୍ୱାବଧାନରେ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବାଲି ମାଫିଆ ଓ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୋଲିସ ପକ୍ଷରୁ ୮୦ଟି ବ୍ୟାଙ୍କ ଆକାଉଣ୍ଟ, ନଗଦ ୨୭ଲକ୍ଷ ଟଙ୍କା, ୫୦ଟି ଭିନ୍ନ ଭିନ୍ନ ଗାଡି, ନକଲି ଟ୍ରାଞ୍ଜିଟ ପାସ, ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରାଯାଇଥିଲା। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନ ପରେ ମାଫିଆ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୋଲିସ ଚଢ଼ାଉ ଭୟରେ ଅନେକ ବାଲି ମାଫିଆ ଏବେ ଫେରାର ହୋଇ ଯାଇଥିବା ଆଲୋଚନା ହେଉଛି।


