ମହାକାଶ କେନ୍ଦ୍ର ପରିଦର୍ଶନ କରି ଫେରିଲେ ସୁବର୍ଣ୍ଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଠାରେ ଥିବା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁବର୍ଣ୍ଣ ସାହୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ କରି ମେ ୨୩ରେ ଫେରିଛନ୍ତି । ୧୧ରୁ ସେ ଯାତ୍ରା କରିଥିଲେ । ସେ ଗତ ଏପ୍ରିଲ ୧୩ରେ ଇସ୍ରୋର ୟୁଭିକା ବିଭାଗ ପକ୍ଷରୁ ପରିଦର୍ଶନ ପାଇଁ ନିମନ୍ତ୍ରଣ ପାଇଥିଲେ। ଓଡିଶାରୁ ୨ ଜଣକଙ୍କ ମଧ୍ୟରୁ ଗଜପତି ଜିଲାରୁ ସୁବର୍ଣ୍ଣ ଓ ଗଞ୍ଜାମ ଜିଲାର ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ଏ. ଆଲିଶା ଆଚାରୀଙ୍କୁ ଚଳିତ ମାସର ଦ୍ଵିତୀୟ ସପ୍ତାହରେ ଯୋଗଦେବା ପାଇଁ ନିମନ୍ତ୍ରଣ ଆସିଥିଲା। ସେଠାରେ ୨ ସପ୍ତାହ ରହି ସୁବର୍ଣ୍ଣ ମହାକାଶ ସମ୍ପର୍କରେ ଅନ୍ତର୍ନିହିତ ଜ୍ଞାନ, ଦକ୍ଷତା ଓ କୌଶଳ ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ। ସେଠାରେ ଇସ୍ରୋ, ଟେଲିମିଟ୍ରି, ଟ୍ରାଙ୍କି ଓ କମାଣ୍ଡ ନେଟୱର୍କ, ଲଞ୍ଚପ୍ୟାଡ, ଟିଟିସି ଓ ଗ୍ରାଉଣ୍ଡ ଷ୍ଟେଶନ ଉପରେ ଜ୍ଞାନ ହାସଲ କରିବାର ସୁଯୋଗ ପାଇଥିବା ସେ ପ୍ରକାଶ କରିଛନ୍ତି। ଏହାଛଡା ଆଲୋଚନା ଚକ୍ର ମାଧ୍ୟମରେ ଚନ୍ଦ୍ରାୟାନ-୩, ଆଦିତ୍ୟ ଏଲ୧ ଓ ଗଗନାନ୍ ନାୟନ ସମ୍ପର୍କରେ ସୁବର୍ଣ୍ଣ ବହୁ ଜ୍ଞାନ ହାସଲ କରିଛନ୍ତି। ମହାକାଶ ବୈଜ୍ଞାନିକ ଶୁଭ୍ରାଂଶୁ ଶୁକ୍ଳାଙ୍କଠାରୁ ତାଙ୍କର ଦୀର୍ଘ ଅନୁଭୂତି ସୁବର୍ଣ୍ଣଙ୍କ ମଧ୍ୟରେ ଆତ୍ମବିଶ୍ବାସ ଆଣି ଦେଇଛି। ଏସ୍ଡିଏସ୍ସି ଏସ୍ଏଚ୍ଏଆର୍ର ନିର୍ଦ୍ଦେଶକ ପଦ୍ମକୁମାରଇ.ଏସ.ଙ୍କ ଠାରୁ ମହାକାଶ ଯାତ୍ରାର ଯାତ୍ରାର ସଫଳତା, ବିଫଳତା, ଦକ୍ଷତା କୌଶଳ ସମ୍ପର୍କରେ ତାଙ୍କର ବିଶେଷ ଧାରଣା ହୋଇଥିବା ସୁବର୍ଣ୍ଣ କହିଛନ୍ତି।


