ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କଲବଲ କରୁଛି ଗ୍ରୀଷ୍ମପ୍ରବାହ
ଆସିକା (ୱାଇଏନ୍ଏସ୍) :ଖରା ବଢୁଛି ତା ସାଙ୍ଗକୁ ଅସହ୍ୟ ଗରମ ଓ ଗୁଳୁଗୁଳି । ଏମିତି ଟାଣ ଖରାରେ ବିଦ୍ୟାଳୟରୁ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ । ଟାଣ ଖରା ସାଙ୍ଗକୁ ଶ୍ରେଣୀଗୃହରେ ସନ୍ତୁଳି ହେଉଛନ୍ତି ବହୁ ବିଦ୍ୟାର୍ଥୀ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ କେତେକ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ରହୁଥିବା ଦେଖିବାକୁ ମିଳୁଛି । ଗ୍ରୀଷ୍ମତାତି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିସରରେ କଲବଲ କରୁଥିବା ବେଳେ ଅସହ୍ୟ କରୁଛି ଖରା ଓ ଗୁଳୁଗୁଳି । ଗତ କିଛି ଦିନ ହେଲା ସକାଳ ୯ଟା ପରେ ତାତି ଅସମ୍ଭାଳ ହୋଇପଡୁଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଗତ ୨ ତାରିଖ ଠାରୁ ସକାଳ ୬ଟା ୩୦ ମିନଟରୁ ୧୦.୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକ ପରିଚାଳନା ହେଉଛି । ଏଭଳି ପରିସ୍ଥିତିରେ ଦିନ ୧୦.୩୦ ମିନଟ ସମୟରେ ବିଦ୍ୟାଳୟକୁ ଛୁଟି କରାଗଲେ ଛାତ୍ରଛାତ୍ରୀମାନେ ନିଜ ନିଜ ଘରକୁ ଫେରିବା ସମୟରେ ଗ୍ରୀଷ୍ମପ୍ରବାହରେ ଅଂଶୁଘାତର ଶୀକାର ହେବାର ସମ୍ଭାବନାକୁ ଏଡାଇ ହେଉନାହିଁ । ଯଦି ବିଦ୍ୟାଳୟ ସମୟ ସକାଳ ୬.୩୦ ମିନଟ ସମୟରୁ ୧୦.୦୦ ଟା ପର୍ଯ୍ୟନ୍ତ ପରିଚାଳନାକୁ ପରିବର୍ତ୍ତନ କରାଯିବ ତେବେ ବିଦ୍ୟାର୍ଥୀମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅନ୍ୟ ପକ୍ଷରେ ଖରର ପ୍ରକୋପକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଦ୍ୟାଳୟ ପରିଚାଳନା ସମୟ ବଦଳାଇ ପାରିବେ ବୋଲି ମଧ୍ୟ ନିଷ୍ପତି ନିଆଯାଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡିକର ପରିଚାଳନା ସମୟ ନିର୍ଘଣ୍ଟ ସକାଳ ୬.୩୦ ମିନଟ ସମୟରୁ ୧୦.୦୦ ଟା ସମୟ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ତଥା ଦୁର୍ନିତୀ ବିରୋଧରେ ଆମେ ସଂଗଠନର ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


