“ଜ୍ଞାନ ଭାରତମ ମିଶନ”ର ସର୍ଭେ ଆରମ୍ଭ

କଟକ, (ଓ୍ବାଇଏନଏସ): କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଚାଲୁଥିବା “ଜ୍ଞାନ ଭାରତମ ମିଶନ” ମାଧ୍ୟମରେ ଓଡ଼ିଶା ସହ ସାରା ଦେଶରେ ଗଚ୍ଛିତ ଥିବା ପାଣ୍ଡୁଲିପି, ତାଳପତ୍ର ପୋଥି ଓ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଏହି ମିଶନର ଲକ୍ଷ୍ୟ ହେଉଛି ଭାରତର ପୁରାତନ ଜ୍ଞାନ ପରମ୍ପରାକୁ ସଂରକ୍ଷଣ କରିବା ସହ ଡିଜିଟାଲ ମାଧ୍ୟମରେ ଏହାକୁ ସୁରକ୍ଷିତ ରଖିବା।ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପୁରାତନ ଅନୁଷ୍ଠାନ, ମଠ, ମନ୍ଦିର, ପୁସ୍ତକାଳୟ, କାର୍ଯ୍ୟାଳୟ, ଅଭିଲେଖାଗାର ଓ ବ୍ୟକ୍ତିଗତ ସ୍ତରରେ ସଂରକ୍ଷିତ ଥିବା ପାଣ୍ଡୁଲିପି, ତାଳପତ୍ର ପୋଥି ଓ ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ “ଜ୍ଞାନ ଭାରତମ ମିଶନ” ପକ୍ଷରୁ ପ୍ରଦତ୍ତ ଆପ୍‌ ମାଧ୍ୟମରେ ପଞ୍ଜୀକରଣ କରାଯିବ।ମିଶନ ଅଧୀନରେ ଉକ୍ତ ପାଣ୍ଡୁଲିପି ଓ ପ୍ରାଚୀନ ଗ୍ରନ୍ଥଗୁଡ଼ିକୁ କେବଳ ଡିଜିଟାଇଜେସନ କରାଯିବ। ମୂଳ ପାଣ୍ଡୁଲିପି, ତାଳପତ୍ର ପୋଥି ଓ ଗ୍ରନ୍ଥଗୁଡ଼ିକ ସମ୍ପୃକ୍ତ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ହିଁ ସୁରକ୍ଷିତ ଭାବେ ରହିବ ବୋଲି ସୂଚନା ଦିଆଯାଇଛି। ଏହା ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଜ୍ଞାନ ପରମ୍ପରାର ସଂରକ୍ଷଣ ଓ ଅଭିବୃଦ୍ଧି ହେବା ସହ ଭବିଷ୍ୟତ ପିଢ଼ୀ ପାଇଁ ଏହି ଅମୂଲ୍ୟ ଐତିହ୍ୟକୁ ଡିଜିଟାଲ ରୂପରେ ସୁରକ୍ଷିତ କରାଯିବ। ଯଦି କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ପାଣ୍ଡୁଲିପି, ତାଳପତ୍ର ପୋଥି କିମ୍ବା ପ୍ରାଚୀନ ଗ୍ରନ୍ଥ ରହିଛି, ସେମାନଙ୍କୁ କଟକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ପଞ୍ଜୀକରଣ ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ